ଆଜି ପ୍ରଥମ ପର୍ଯ୍ୟାୟ ବିଜେଡି ପଦଯାତ୍ରାର ଦ୍ବିତୀୟ ଦିନ

ନନ୍ଦିଘୋଷ ବ୍ୟୁରୋ: ଆଜି ପ୍ରଥମ ପର୍ଯ୍ୟାୟ ବିଜେଡି ପଦଯାତ୍ରାର ଦ୍ବିତୀୟ ଦିନ । ଓଡ଼ିଶାର ସ୍ବାର୍ଥ ପାଇଁ ପଦଯାତ୍ରାରେ ରଣହୁଙ୍କାର ଦେଇଛି ଦଳ। ରାଜ୍ଯରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଦରଦାମ ବୃଦ୍ଧି, ନାରୀ ନିର୍ଯାତନା ସମେତ ସୁଭଦ୍ରା ଓ ମାଗଣା ବିଜୁଳି ଭଳି ପ୍ରସଙ୍ଗରେ ବିଜେପି ସରକାରର ମିଛ ପ୍ରତିଶୃତି ନେଇ ଲୋକଙ୍କୁ ସଚେତନ କରାଯାଉଛି । ପ୍ରଥମ ଥର ପାଇଁ ବିରୋଧୀ ଦଳରେ ଥାଇ ପଦଯାତ୍ରା କରୁଛି ବିଜେଡି । ସବୁ ନିର୍ବାଚନ ମଣ୍ଡଳିର ବ୍ଲକ ଓ ପୌରାଞ୍ଚଳରେ ପଦଯାତ୍ରା କରାଯାଉଛି । ଏଥର ଦୁଇଟି ପର୍ଯ୍ଯାୟରେ ୧୫ ଦିନ ଧରି ବିଜେଡି ପଦଯାତ୍ରା ହେଉଛି  । ଗତକାଲିଠାରୁ ଆରମ୍ଭ ହୋଇଥିବା ପଦଯାତ୍ରା ୬ ତାରିଖ ପର୍ଯ୍ଯନ୍ତ ପ୍ରଥମ ପର୍ଯ୍ୟାୟ ଚାଲିବ ।  ଅକ୍ଟୋବର ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ଯାୟ ପଦଯାତ୍ରା ହେବ । ସେହିପରି ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀରୁ ଆରମ୍ଭ ହେବ ବିଜୁ ଜନତା ଦଳର ସଦସ୍ୟତା ସଂଗ୍ରହ ଅଭିଯାନ। ଜିଲ୍ଲା ସଭାପତି ଓ ରାଜ୍ୟ କମିଟି ଏହାର ତଦାରଖ କରିବେ । ପଦଯାତ୍ରା ସମୟରେ ଗ୍ରାମାଞ୍ଚଳ ଓ ପୌରାଞ୍ଚଳର ବିକାଶ ସହିତ ଜନସାଧାରଣଙ୍କ କଲ୍ୟାଣ ପାଇଁ ବିଜେଡି ସରକାର କରିଥିବା ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯିବ। ଏହାସହ ବିଜେପି ସରକାରର ବିଫଳତା, ପ୍ରତାରଣା ଓ ନାରୀ ନିର୍ଯାତନା ଆଦି ପ୍ରସଙ୍ଗରେ ରାଜ୍ୟବାସୀଙ୍କ ଜଣାଇବ ବିଜେଡି।