ଢେଙ୍କାନାଳରେ ଥମିବାର ନାଁ ଧରୁନି ଦୁର୍ଘଟଣା

1 min read

ନନ୍ଦିଘୋଷ ବ୍ୟୁରୋ: ଢେଙ୍କାନାଳରେ ଥମିବାର ନାଁ ଧରୁନି ଦୁର୍ଘଟଣା । ଯାଉଛି ନୀରିହ ଜୀବନ । ନୀରବଦ୍ରଷ୍ଟା ସାଜିଛନ୍ତି ଏନଏଚଏଆଇ କର୍ତ୍ତୃପକ୍ଷ । ପ୍ରତ୍ଯେକ ଦିନ ରାଜରାସ୍ତାରେ ଯାଉଛି ଅନେକ ଯାତ୍ରୀଙ୍କ ଜୀବନ । ଗତ କିଛି ଦିନ ତଳେ ଢେଙ୍କାନାଳ ରାସୋଳ ଥାନା ଅନ୍ତର୍ଗତ ସୁକିଆବାଉତି ଛକ ନିକଟରେ ଘଟିଥିବା ଲୋମ ଟାଙ୍କୁରା ଦୁର୍ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ସେପଟେ ଏନଏଚ ୫୫ ଓ ୫୩ ରାସ୍ତାର ଅବସ୍ଥା ମଧ୍ଯ ଶୋଚନୀୟ ହୋଇପଡିଛି ।

ଢେଙ୍କାନାଳରେ ଥମିବାର ନାଁ ଧରୁନି ଦୁର୍ଘଟଣା । ଯାଉଛି ନୀରିହ ଜୀବନ । ନୀରବଦ୍ରଷ୍ଟା ସାଜିଛନ୍ତି ଏନଏଚଆଇ କର୍ତ୍ତୃପକ୍ଷ । ପ୍ରତ୍ଯେକ ଦିନ ରାଜରାସ୍ତାରେ ଯାଉଛି ଅନେକ ଯାତ୍ରୀଙ୍କ ଜୀବନ । କିଏ ମା ଓ ବାପାକୁ ହରାଉଛି ତ କିଏ ତା ଛୁଆକୁ ହରାଉଛି । କିଛି ଦିନ ତଳେ ଢେଙ୍କାନାଳ ରାସୋଳ ଥାନା ଅନ୍ତର୍ଗତ ସୁକିଆବାଉତି ଛକ ନିକଟରେ ଘଟିଥିବା ଲୋମ ଟାଙ୍କୁରା ଦୁର୍ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ମାଆ ଆଗରେ ତାର ଦୁଇ ଯାଆଁଳା ପିଲା ଟ୍ରକ ତଳେ ଚାପିହୋଇ ମୃତ୍ଯୁବରଣ କରିଥିଲା । ମାଆଟି ରାସ୍ତା ଉପରେ ତା ମୃତ ପିଲାଙ୍କୁ କୋଳରେ ଧରି ବାହୁନି ବାହୁନି କାନ୍ଦୁଥିବାର ଦୃଶ୍ଯ ସମସ୍ତଙ୍କୁ ବ୍ଯଥିତ କରିଥିଲା । ଘଟଣା ପରେ ଉତ୍ତ୍ଯକ୍ତ ଲୋକେ ରାସ୍ତାରୋକ କରିଥିଲେ । ଫଳରେ କିଛି ସମୟ ପାଇଁ କଟକ-ଅନୁଗୁଳ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।ଘଟଣା ସ୍ଥଳରେ ରାସୋଳ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ପରେ ଉତ୍ତ୍ଯକ୍ତ ଲୋକେ ସବୁ ଧାରଣାରୁ ଉଠିଥିଲେ ।

ଦୁର୍ଘଟଣା ପରେ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଭାରି ଯାନ ଚଳାଚଳ ଉପରେ କଟକଣା ଲଗାଇବା ପାଇଁ ପୋଲିସ ବିଭାଗ ଓ ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦିଆଯାଇଛି । ତଥାପି ରାସ୍ତାରେ ଭାରିଯାନ ଚଳାଚଳ ହେଉଥିବା ନେଇ ଅଭିଯୋଗ ହେଉଛି । ଅନ୍ଯପଟେ ଢେଙ୍କାନାଳ ଦେଇ ଯାଇଥିବା ଏନଏଚ ୫୫ ଓ ୫୩ ରାସ୍ତାର ଅବସ୍ଥା ମଧ୍ଯ ଶୋଚନୀୟ ହୋଇପଡିଛି । ବର୍ଷା ଦିନେ ରାସ୍ତାର ଅବସ୍ଥା କହିଲେ ନସରେ । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମୁଥିବା ବେଳେ ଲୋକେ ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି । ଯାହାକୁ ନେଇ ଗତ କିଛି ଦିନ ତଳେ ମନ୍ତ୍ରୀ ରବି ନାୟକଙ୍କୁ ହଟହଟା ହେବାକୁ ପଡ଼ିଥିଲା। ଉତ୍ୟକ୍ତ ଲୋକେ ଏନଏଚ ୫୫ କୁ ୩ ଘଣ୍ଟା ଧରି ବନ୍ଦ ରଖିବା ସହିତ ମନ୍ତ୍ରୀଙ୍କୁ ଅଟକ ରଖିଥିଲେ। ସେପଟେ ଦୁର୍ଘଟଣାକୁ ଆଖି ଆଗରେ ରଖି ଜିଲ୍ଲାପାଳ ଢେ଼ଙ୍କାନାଳ ମହିଶିଆଁ ପାଟ ଛକ, କଣ୍ଟା ନାଳୀ ବାଇପାସ୍ ଓ ଗୋବିନ୍ଦ ପୁର ଛକରେ ଓଭର ବ୍ରିଜ ନିର୍ମାଣ ପାଇଁ ଏନଏଚ ବିଭାଗକୁ ଚିଠି ଲେଖିଛନ୍ତି। ସେପଟେ ଦୁର୍ଘଟଣାର ହଟସ୍ପଟ ପାଲଟିଥିବା ସ୍ଥାନ ମାନଙ୍କରେ ୭ ଦିନ ମଧ୍ଯରେ ସ୍ପିଡ ଲିମିଟ କ୍ଯାମେରା ଲଗାଯିବ ବୋଲି ସଦର ତହସିଲଦାର କହିଛନ୍ତି ।