ଦ୍ୱିତୀୟ ଥର ପାଇଁ ପାକିସ୍ତାନର ଅଧିନାୟକତ୍ୱ ଛାଡିଲେ ବାବର ଆଜମ

1 min read

ନନ୍ଦିଘୋଷ ବ୍ୟୁରୋ : ବାବର ଆଜମ ଆଉ ଦିନିକିଆ ଏବଂ  ଟି୨୦ ରେ ପାକିସ୍ତାନର ଅଧିନାୟକ ହେବେ ନାହିଁ । ସେ ଅଧିନାୟକ ପଦ ଛାଡିବାକୁ ଘୋଷଣା କରିଛନ୍ତି । ଦ୍ୱିତୀୟ ଥର ପାଇଁ ବାବର ଆଜମ ପାକିସ୍ତାନର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ବାବର ଆଜାମ ମଧ୍ୟରାତ୍ରିରେ ସୋସିଆଲ ମିଡିଆ ମାଧ୍ୟମରେ ପାକିସ୍ତାନର ଅଧିନାୟକତ୍ୱ ଛାଡିବା ବିଷୟରେ ସୂଚନା ଦେଇଛନ୍ତି । ବାବର ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ଯାହା ଦ୍ବାରା ସେ ତାଙ୍କ ବ୍ୟାଟିଂ ଏବଂ ଖେଳ ଉପରେ ଧ୍ୟାନ ଦେଇ ପାରିବେ। ସେ କହିଛନ୍ତି ଯେ ଜଣେ ଖେଳାଳି ଭାବରେ ସେ ଦଳରେ ଅବଦାନ ଜାରି ରଖିବେ।

ତେବେ ଗତ ବର୍ଷ ଏକଦିବସୀୟ ବିଶ୍ୱକପ ପରେ ବାବର ଆଜମ ପାକିସ୍ତାନର ଅଧିନାୟକତ୍ୱ ଛାଡିଥିଲେ । କିନ୍ତୁ, ତେବେ ଚଳିତ ବର୍ଷ ଏପ୍ରିଲରେ ପିସିବି ତାଙ୍କୁ ହ୍ବାଇଟ୍ ବଲ୍ କ୍ରିକେଟରେ ଅଧିନାୟକ ଭାବରେ ରଖିବାକୁ ନିଷ୍ପତ୍ତି ନେଇଥିଲେ । ବାବରଙ୍କ ଅଧିନାୟକତ୍ୱରେ ପାକିସ୍ତାନ ମଧ୍ୟ ଚଳିତ ବର୍ଷର ଟି -୨୦ ବିଶ୍ୱକପ ଖେଳିଛି । ବର୍ତ୍ତମାନ ବାବର ଆଜାମ ପାକିସ୍ତାନର ଅଧିନାୟକତ୍ୱରୁ ସମ୍ପୂର୍ଣ୍ଣ ଇସ୍ତଫା ଦେଇଛନ୍ତି ।

ସୋସିଆଲ ମିଡିଆରେ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ବାବର ଆଜାମ ଘୋଷଣା କରିଛନ୍ତି ଯେଉଁଥିରେ ସେ କାହିଁକି ଏହି ନିଷ୍ପତ୍ତି ନେଉଛନ୍ତି ତାହା ମଧ୍ୟ ସ୍ପଷ୍ଟ କରିଛନ୍ତି। ପ୍ରଶଂସକଙ୍କୁ ବାବର ଆଜମ ତାଙ୍କ ବାର୍ତ୍ତାରେ ଲେଖିଛନ୍ତି ଯେ, ମୁଁ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ କ୍ରିକେଟ୍ ଦଳର ନେତୃତ୍ୱ ନେବା ମୋ ପାଇଁ ଗୌରବର ବିଷୟ । ମୁଁ ଅଧିନାୟକତ୍ୱରୁ ବହୁତ କିଛି ଶିଖିବାକୁ ପାଇଲି  ।କିନ୍ତୁ, ବର୍ତ୍ତମାନ ମୁଁ ଅନୁଭବ କରୁଛି ଯେ ଅଧିନାୟକତ୍ୱ ଛାଡିବା ମୋ ପାଇଁ ଉପଯୁକ୍ତ ସମୟ  ।

ଅଧିନାୟକ ପଦ ଛାଡିବାର କାରଣ ବିଷୟରେ ବାବର ଆଜମ ଆହୁରି ମଧ୍ୟ କହିଛନ୍ତି। ସେ ବର୍ତ୍ତମାନ ତାଙ୍କ ବ୍ୟାଟିଂ ଏବଂ ଖେଳ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ଏବଂ ଏଥିପାଇଁ ସେ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶଂସକମାନଙ୍କୁ କହିଛନ୍ତି ଯେ ବର୍ତ୍ତମାନ ସେ ଅଧିନାୟକ ଭାବରେ ନୁହେଁ ବରଂ ଜଣେ ଖେଳାଳି ଭାବରେ ଦଳରେ ସହଯୋଗ କରିବାକୁ ଚାହୁଁଛନ୍ତି ।