ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼

ବୌଦ୍ଧ: ଶାଢୀ ଟାଣି ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ବିଜାପଦର ଗାଁରେ । ଗାଁ ଦାଣ୍ଡରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଶାଢୀ ଟାଣି ପିଟିଛନ୍ତି ଗୋଟିଏ ପରିବାରର ତିନି ଜଣ ସଦସ୍ଯ ।

ଅଭିଯୋଗ ଅନୁସାରେ, ଧୀରେନ ସେଠୀଙ୍କ ଝିଅ ଅଙ୍ଗନବାଡିକୁ ଯାଇଥିଲା । ପାଠପଢା ସରିବା ପରେ ସହାୟିକା ଝିଅକୁ ଛାଡିବାକୁ ଧୀରେନଙ୍କ ଘରକୁ ଯାଇଥିଲେ । କାହିଁକି ଛାଡ଼ିବାରେ ବିଳମ୍ବ ହେଲା କହି ସହାୟିକାଙ୍କ ସହ ଯୁକ୍ତି କରିଥିଲେ ଧୀରେନ । ଅଙ୍ଗନବାଡି କର୍ମୀ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିଥିଲେ ବି ଧୀରେନ, ତାଙ୍କ ସ୍ତ୍ରୀ ସୁନୀତା ଏବଂ ମାଆ ଜାହ୍ନବୀ ଉଭୟ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ ।

ଏନେଇ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ବଘିଆପଡ଼ା ଫାଣ୍ଡିର ଦ୍ବାରସ୍ଥ ହୋଇଥିଲେ ବି ପୋଲିସ ଫେରାଇ ଦେଇଥିଲା । ଫଳରେ ଉଭୟ ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।