ଅଶାନ୍ତ ଭଦ୍ରକ ଜିଲ୍ଲା, ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଅସ୍ଥିର ଓ ଭୟର ବାତାବରଣ

1 min read

ଭଦ୍ରକ  : ଅଶାନ୍ତ ଭଦ୍ରକ ଜିଲ୍ଲା। ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଅସ୍ଥିର ଓ ଭୟର ବାତାବରଣ । ପୁରା ଜିଲ୍ଲାରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଲାଗିଛି BNSSର ଧାରା ୧୬୩। ପୋଲିସ ଭୟରେ ପୁରୁଷ ଶୂନ୍ୟ ଅନେକ ଅଂଚଳ। ବର୍ତ୍ତମାନ ସୁଦ୍ଧା ଘଟଣାରେ ମୋଟ ୧୫ ଜଣ ଗିରଫ ହୋଇଛନ୍ତି। ଗୁଜବ ରୋକିବାକୁ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ପୁରୁଣାବଜାର ଅଂଚଳରେ ପୋଲିସର କଡ଼ା ପହରା। ଧାମନଗର ଓ ଦୋବଲ ମଧ୍ୟ ପୋଲିସର ନଜରରେ ରହିଛି। ପୋଲିସ ଫୋର୍ସ ସହ ଭଦ୍ରକ ସହରରେ ଫ୍ଲାଗମାର୍ଚ୍ଚ କରିଛି ଜିଲ୍ଲା ପ୍ରଶାସନ। ଶାନ୍ତି ବଜାୟ ରକିବାକୁ ଅପିଲ କରିଛନ୍ତି।

ଭଦ୍ରକ ନଙ୍ଗାମହଲା ବାସିନ୍ଦା ସେକ ସବୀର। ଛକରେ ପାନ ବିକିବା ସହ ତାଙ୍କର ରହିଛି ଗୋଟିଏ ଷ୍ଟେସନାରୀ ଦୋକାନ। ଦୋକାନରୁ ଯାହା ରୋଜଗାର ହୁଏ ପରିବାର ଚଳିଯାଏ। ହେଲେ ୨ ଦିନ ହେଲା ଦୋକାନବଜାର ସବୁ ବନ୍ଦ। ମନରେ ଡର ଥିଲେ ମଧ୍ୟ ପରିବାର ଚଳାଇବାକୁ ଦୋକାନ ଖୋଲିଛନ୍ତି ସବୀର। ଭଦ୍ରକ ଜିଲ୍ଲାରେ ପ୍ରଶାସନିକ କଟକଣାରୁ ଅନେକ ଦୋକାନ ବନ୍ଦ ରହିଛି। ୩ ଦିନ ହେଲାଣି ଜିଲ୍ଲାରେ ଲାଗି ରହିଛି ଅଶାନ୍ତ ବାତାବରଣ। ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଉଗ୍ରରୂପ ଧାରଣ କରିଥିଲା ସ୍ଥିତି। ଭଦ୍ରକ ସହର ସମେତ ଧାମନଗର ଏବଂ ଦୋବଲ ଅଂଚଳରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା। ଗୋଷ୍ଠୀ ସଂଘର୍ଷରୁ ପୋଲିସ ଉପରକୁ ଆକ୍ରମଣ କରିଥିଲେ ଲୋକେ। ଏହାକୁ ନେଇ ଏବେ ଭୟର ବାତାବରଣ। ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ। ରାତି ହେଲେ ପୁରୁଷଶୂନ୍ୟ ହୋଇଯାଉଛି ଅନେକ ଘର। ପୋଲିସ ଭୟରେ ଲୋକେ ଘରେ ରହୁନାହାନ୍ତି।

ସ୍ଥିତି ସ୍ବାଭାବିକ କରିବାକୁ ଉଦ୍ୟମ କରୁଛି ଜିଲ୍ଲା ପ୍ରଶାସନ। ନଙ୍ଗାମହଲା ଅଂଚଳରେ ଫ୍ଲାଗମାର୍ଚ୍ଚ କରିଛି ପୋଲିସ। ମୁତୟନ ହୋଇଛନ୍ତି ରାପିଡ୍ ଆକ୍ସନ ଫୋର୍ସ। ଜିଲ୍ଲାପାଳ, ପୂର୍ବାଞ୍ଚଳ ଡିଆଇଜି, ଏସପି ସହରରେ ଫ୍ଲାଗ୍ ମାର୍ଚ୍ଚ କରିଛନ୍ତି।ଗୁଜବ ପ୍ରସାର ଯେମିତି ନହୁଏ ସେଥିଲାଗି ଇଣ୍ଟରନେଟ ସେବା ବନ୍ଦ ରହିଛି। ସାରା ଭଦ୍ରକ ଜିଲ୍ଲାରେ ଲାଗିଛି BNSSର ଧାରା ୧୬୩। ମୁଖ୍ଯ ଅଭିଯୁକ୍ତ ସହିତ ବର୍ତ୍ତମାନ ସୁଦ୍ଧା ମୋଟ ୧୫ ଜଣ ଗିରଫ ହୋଇଛନ୍ତି। ଭଦ୍ରକ ସହରରେ ୮ ଏବଂ ଧାମନଗରରୁ ୭ ଜଣଙ୍କୁ ଗିରଫ କରିଛି ପୋଲିସ। ନଙ୍ଗାମହଲା, ସନ୍ଥିଆଛକ, ପୁରୁଣାବଜାର, ଚନ୍ଦନବଜାର ଅଞ୍ଚଳରେ ବନ୍ଦ ରହିଛି ଦୋକାନ ବଜାର। କଚେରୀଛକ, ମେଡିକାଲ ଛକ, ବସଷ୍ଟାଣ୍ଡ ଛକ, ପୋଷ୍ଟ ଅଫିସ ଛକ, ଅପର୍ତ୍ତିବିନ୍ଧା ଛକରେ ସ୍ଥିତି ସ୍ବାଭାବିକ ରହିଛି। ଚଳିତ ମାସରେ ଭଦ୍ରକ ଜିଲ୍ଲାରେ ଏଭଳି ୩ଟି ଘଟଣା ଘଟିସାରିଲାଣି। ଗତ ୧୧ ତାରିଖରେ ଧୁଷୁରି, ୧୯ ତାରିଖରେ ପାଳିଆବିନ୍ଧା ଓ ୨୭ ତାରିଖରେ ଧାମନଗର ଓ ଭଦ୍ରକରେ ସମାନ ଘଟଣା ଘଟିଛି। ହେଲେ ପ୍ରଶାସନ କହୁଛି ସ୍ଥିତି ନିୟନ୍ତ୍ରଣରେ ରହିଛି।