ଦୁଇଦିନ ପର୍ଯ୍ୟନ୍ତ ଓଡ଼ିଶାରେ ନାହିଁ ବଡ ବର୍ଷା

ଭୁବନେଶ୍ବର: ଲଗାଣ ବର୍ଷାରୁ ମିଳିଛି ଆଶ୍ବସ୍ତି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ନାହିଁ ବଡ ବର୍ଷା । ଅଧିକାଂଶ ସ୍ଥାନରେ ପାଗ ଶୁଷ୍କ ଓ ମେଘୁଆ ରହିଛି । ଗୁରୁଚାପ ବଳୟ ପ୍ରଭାବ ପାଇଁ ଆଗାମୀ ୬ ଦିନ ବର୍ଷା ମାତ୍ରାଧିକ କମିବା ସହ ପାଗ ଶୁଷ୍କ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅକ୍ଟୋବର ପହିଲାରେ ଉତ୍ତର ଉପକୂଳ ଓ ସଲଗ୍ନ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ଘଡଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ବିଶେଷ କରି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ନୟାଗଡ, ଅନୁଗୁଳ, ଢେଙ୍କାନାଳ ଆଦି ଜିଲ୍ଲାରେ ଗରମ ଗୁଳୁଗୁଳି ଜାରି ରହିବ । ମେଘମୁକ୍ତ ଆକାଶ ପାଇଁ ଟାଣ ଖରା ଓ ବାୟୁମଣ୍ଡଳରେ ଉଚ୍ଚ ଆର୍ଦ୍ରତା ପାଇଁ ଗରମ ଗୁଳୁଗୁଳି ହେବ । କିଛି ଜିଲ୍ଲାରେ ଅପରାହ୍ନ ସମୟରେ ଆକସ୍ମିକ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ବଜ୍ରପାତ ଜନିତ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସେପଟେ ଜୁନ୍ ୧ରୁ ଏପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଠାରୁ ମାତ୍ର ୪ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଯାହା ସ୍ବାଭାବିକ ବର୍ଷାର ପରିସରଭୁକ୍ତ । ଦୁଇଟି ଜିଲ୍ଲା ନୂଆପଡା ଓ ମାଲକାନଗିରିରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୨୪ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି । ୪ଟି ଜିଲ୍ଲା ଭଦ୍ରକ, କେନ୍ଦୁଝର, ଦେବଗଡ ଓ ଝାରସୁଗୁଡାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।