ସରକାରଙ୍କୁ ଦୁଗ୍ଧ ଚାଷୀଙ୍କ ଚେତାବନୀ; ଲିଟରକୁ ୪୦ ଟଙ୍କା ନଦେଲେ କ୍ଷୀର ଢାଳି ପ୍ରତିବାଦ କରିବୁ

ଭୁବନେଶ୍ବର:  ଓମଫେଡ କ୍ଷୀର ପ୍ୟାକେଟରେ ଦୁଗ୍ଧର ପରିମାଣ କମାଇବା ସହ ଦର ବଢ଼ାଯାଇଛି । ଦରବୃଦ୍ଧି ସତ୍ତ୍ବେ ଚାଷୀଙ୍କୁ କିନ୍ତୁ ଟଙ୍କାଟିଏ ବି ଅଧିକ ଦିଆଯାଉ ନାହିଁ । ଯାହାକୁ ନେଇ ଅସନ୍ତୁଷ୍ଟ ରାଜ୍ଯର ଦୁଗ୍ଧ ଚାଷୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । କ୍ଷୀର ଲିଟରରେ ୧୦ ଟଙ୍କା ବୃଦ୍ଧି କରାଯାଇ ଥିବା ବେଳେ ସେଥିରୁ ୫ ଟଙ୍କା ତୁରନ୍ତ ଚାଷୀଙ୍କୁ ଦେବାକୁ ଦାବି ରଖିଛି ରାଜ୍ୟ ଦୁଗ୍ଧ ଚାଷୀ ମହାସଂଘ ।

ସରକାରଙ୍କୁ ଏ ନେଇ ଦାବିପତ୍ର ଦିଆଯାଇଥିବା ବେଳେ ଏ ଯାଏଁ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ସେଥିପାଇଁ ଶୀଘ୍ର ରାଜ୍ୟବ୍ୟାପୀ ଦୁଗ୍ଧ ଚାଷୀ କ୍ଷୀର ଢାଳି ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି । ଦୁଗ୍ଧ ଚାଷୀଙ୍କୁ କ୍ଷୀର ଲିଟର ପିଛା ୩୫ ଟଙ୍କା ଦିଆଯାଉଥିବା ବେଳେ ତୁରନ୍ତ ଏହାକୁ ୪୦ ଟଙ୍କା କରାଯିବାକୁ ସଂଘ ଦାବି କରିଛି । ନଚେତ କେବଳ ରାଜ୍ୟବ୍ୟାପୀ ନୁହେଁ ସମସ୍ତ ୩ ହଜାର ୮୦୦ ଦୁଗ୍ଧ ସମବାୟ ସମିତି ନିକଟରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଓଡିଶା ଦୁଗ୍ଧ ଚାଷୀ ମହାସଂଘ ।

ଓମଫେଡ କ୍ଷୀର ପ୍ୟାକେଟର ରଙ୍ଗ ଗେରୁଆ କରି ପରିମାଣ କମାଇ ଅଧିକ ଦର ନେଇ ଗ୍ରାହକଙ୍କଠାରୁ ଅଧିକ ଟଙ୍କା ନେଉଥିଲେ ମଧ୍ୟ ଦୁଗ୍ଧ ଚାଷୀଙ୍କୁ କାହିଁକି ଏହି ଅର୍ଥ ଦିଆଯିବ ନାହିଁ ବୋଲି ପ୍ରଶ୍ନ କରିଛି ସଂଘ । ରାଜ୍ୟର ୧୧ ଲକ୍ଷ ଦୁଗ୍ଧ ଚାଷୀଙ୍କ ପରିବାର ଏହି ମାଧ୍ୟମରେ ପ୍ରତିପାଳିତ ହୁଅନ୍ତି । ଏପରିକି ନୂଆ ସରକାର ଆସିବା ପରେ ଗୋଖାଦ୍ୟ ପ୍ୟାକେଟର ଦାମ ମଧ୍ୟ ବଢିଛି । ଯାହାକୁ ମହାସଂଘ ଜୋରଦାର ବିରୋଧ କରିଛି । ଏସବୁ ପ୍ରସଙ୍ଗରେ କିନ୍ତୁ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ଏପରିକି ଏବେ ପାର୍ବଣ ଋତୁରେ ଦୁଗ୍ଧ ଚାଷୀଙ୍କୁ ବଦନାମ କରାଯାଉଛି । ବଜାରକୁ ନକଲି କ୍ଷୀର, ଛେନା, ଘିଅ ଓ ପନିର ଆଦି ଛଡ଼ାଯାଇ ଏଭଳି କରାଯାଉଛି । ଦୁଗ୍ଧ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏସବୁ ଉପରେ ଚଢ଼ାଉ କରାଯାଉ ବୋଲି ଦାବି କରାଯାଇଛି ।