ଅନ୍ଧବିଶ୍ବାସର ଜଘନ୍ଯ ପରିଣତି , ଦୁଇ ବୃଦ୍ଧଙ୍କ ମୁଣ୍ଡରେ ବିଷ୍ଠା ଢାଳିଲେ ଉତ୍ତ୍ଯକ୍ତ ଲୋକେ

ନୂଆପଡା : ଅନ୍ଧବିଶ୍ବାସର ଜଘନ୍ଯ ପରିଣତି । ଗୁଣିଗାରେଡ଼ି ସନ୍ଦେହରେ ଦୁଇ ବୃଦ୍ଧଙ୍କ ମୁଣ୍ଡରେ ବିଷ୍ଠା ଢାଳିଲେ ଉତ୍ତ୍ଯକ୍ତ ଲୋକେ । ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଅଞ୍ଚଳରେ ଘଟିଛି ଏଭଳି ବର୍ବର କାଣ୍ଡ । ଗୁଣି ସନ୍ଦେହରେ ଡୁମେରପଦର ଗାଁର ଦୁଇ ବୃଦ୍ଧଙ୍କ ମୁଣ୍ଡରେ ବିଷ୍ଠା ଢାଳିବା ସହ ମୁହଁରେ ଲଙ୍କାଗୁଣ୍ଡ ମାରିଥିଲେ ଦୁର୍ବୃତ୍ତ । ଏଭଳି ନିର୍ଯାତନାର ଶିକାର ହୋଇଛନ୍ତି ଡୁମେରପଦର ଗାଁର ୬୫ ବର୍ଷୀୟ ଭୋଜରାମ ରଣା ଓ ୬୦ ବର୍ଷୀୟ ଗୋବର୍ଦ୍ଧନ ରଣା । ଅଭିଯୋଗ ଅନୁସାରେ ଡୋଟୋ ଗାଁର ଲଳିତ ରଣାଙ୍କ ଝିଅଙ୍କର ସ୍ବାସ୍ଥ୍ଯବସ୍ଥା ଖରାପ ଥିଲା । ଯେତେ ଚିକିତ୍ସା କରିଥିଲେ ବି ଝିଅଟି ସୁସ୍ଥ ହୋଇନଥିଲା । ଏଣୁ କେହି ଗୁଣି କରିଥିବା ପରିବାର ଲୋକ ସନ୍ଦେହ କରିଥିଲେ । ଦୁଇଦିନ ତଳେ ଗାଁରେ ବୈଠକ କରି ଭୋଜରାମ ଓ ଗୋବର୍ଦ୍ଧନଙ୍କୁ ଡକାଇଥିଲେ । କିନ୍ତୁ ଉଭୟ ବୈଠକକୁ ଆସି ନଥିଲେ । ଏହାକୁ ନେଇ ଲଳିତଙ୍କ ପରିବାର ଅସନ୍ତୋଷ ବ୍ୟକ୍ତ କରିଥିଲେ । ବୁଧବାର ରାତିରେ କିଛି ଯୁବକ ଭୋଜରାମ ଓ ଗୋବର୍ଦ୍ଧନଙ୍କ ଘରେ ପଶି ନିସ୍ତୁକ ମାଡ଼ ମାରିଥିଲେ । ପରେ ମୁଣ୍ଡରେ ବିଷ୍ଠା ଢାଳିବା ସହ ମୁହଁରେ ଲଙ୍କାଗୁଣ୍ଡ ବୋଳିଦେଇଥିଲେ । ଘଟଣାକୁ ନେଇ ସାରା ରାଜ୍ଯରେ ଚାଞ୍ଚଲ୍ଯ ଖେଳିଯାଇଥିବାବେଳେ ଥାନାରେ ଅଭିଯୋଗ ହୋଇଛି । ପୋଲିସ ୯ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି ।