ଆସନ୍ତା ୧୭ରୁ ମହାକାର୍ତ୍ତିକ, କେବେ ଆରମ୍ଭ ହେବ ହଭିଷ୍ୟାଳୀ ଯୋଜନା ?

1 min read

ପୁରୀ : ଶ୍ରୀକ୍ଷେତ୍ରରେ ଚଳିତ ଥର ହବିଷ୍ୟାଳୀ ଯୋଜନା ମାଧ୍ୟମରେ ହବିଷ ବ୍ରତ ପାଳନ ପାଇଁ ଦ୍ୱନ୍ଦ୍ୱ ଦେଖାଦେଇଛି l ବର୍ତ୍ତମାନ ସୁଦ୍ଧା ହବିଷ୍ୟାଳୀ ଯୋଜନାର ରେଜିଷ୍ଟ୍ରେସନ ଆରମ୍ଭ ହୋଇନଥିବାବେଳେ ଧାର୍ମିକ ମାସରେ ମାଗଣାରେ ବ୍ରତ ପାଳନ ନେଇ ରାଜ୍ୟରୁ ବିଭିନ୍ନ ଜିଲ୍ଲାରୁ ଆସୁଥିବା ମା ମାନେ ଚିନ୍ତା ପ୍ରକଟ କରିଛନ୍ତି । ଆସନ୍ତା ୧୭ରୁ ମହାକାର୍ତ୍ତିକ । ହେଲେ କେବେ ଆରମ୍ଭ ହେବ ହଭିଷ୍ୟାଳୀ ଯୋଜନା । ଗତ ବର୍ଷ ବହୁ ପୂର୍ବରୁ ଆରମ୍ଭ ହୋଇଥିଲା ରାଜ୍ୟବ୍ୟାପି ରେଜିଷ୍ଟ୍ରେସନ । ଚଳିତ ବର୍ଷ କିନ୍ତୁ ଯୋଜନାକୁ ନେଇ ନାହିଁ ସୋର ଶବ୍ଦ । ରାଜ୍ୟ ସରକାରଙ୍କ ବିଳମ୍ବକୁ ନେଇ ଦ୍ବନ୍ଦ୍ବରେ ହବିଷ୍ୟାଳୀ । ଧର୍ମ ମାସ କାର୍ତ୍ତିକରେ ହବିଷ ବ୍ରତ ପାଳନ ପାଇଁ ଶ୍ରୀକ୍ଷେତ୍ରରେ ଭିଡ଼ ଜମିଥାଏ  l ଏନେଇ ହବିଷ୍ୟାଳୀଙ୍କ ସୁବିଧା ଓ ବ୍ରତ ପାଳନ ପାଇଁ ହବିଷ୍ୟାଳୀ ଯୋଜନା ଆରମ୍ଭ କରିଥିଲେ ତତକାଳୀନ ସରକାର । ହେଲେ ଚଳିତବର୍ଷ କାର୍ତ୍ତିକ ମାସକୁ କମଦିନ ବାକିଥିବା ବେଳେ ହବିଷ୍ୟାଳୀ ଯୋଜନାକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଯାହାକୁ ନେଇ ହିବଷ୍ୟାଳୀ ମାଆ ମାନେ ଆଶା ଆଶଙ୍କାରେ ପଡିଛନ୍ତି ।

ନବୀନ ପଟ୍ଟନାୟକ ସରକାର ସମୟରେ ଆରମ୍ଭ ହୋଇଥିବା ଏହି ହବିଷ୍ୟାଳୀ ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା । ଏହି ଯୋଜନା ଦ୍ୱାରା ବହୁ ହବିଷ୍ୟାଳୀ ମାଆ ମାନେ ମାଗଣାରେ ପୁରୀ ଆସି ରହିବା ସହ ମହାପ୍ରସାଦ ସେବନ କରି  ସୁବିଧାରେ ବ୍ରତ ପାଳନ କରୁଥିଲେ l ଯୋଜନାର ସଫଳ ରୂପାୟନ ନେଇ ପୁରୀରେ କୋଟି କୋଟି ବ୍ୟୟରେ ମା ମାନଙ୍କର ସୁବିଧାରେ ରହିବା ପାଇଁ ବୃନ୍ଦାବତୀ ନିବାସ ନିର୍ମାଣ କରାଯାଇଥିଲା l ହେଲେ ଚଳିତ ଥର ନୂତନ ସରକାରଙ୍କ ପକ୍ଷରୁ ଏହି ଯୋଜନା ହେବା ନେଇ କୌଣସି ସୂଚନା ନ ମିଳିବା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି l ସେପଟେ ଯୋଜନା କୁ ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁର୍ତ୍ତି ବୈଠକ କରାଯାଇଥିବା ବେଳେ ସଂସ୍କୃତି ବିଭାଗ ମାଧ୍ୟମରେ ସରକାରଙ୍କର ଅନୁମୋଦନ ପାଇଁ ପଠାଯାଇଛି l ରାଜ୍ୟ ସରକାରଙ୍କର ଅନୁମୋଦନ ମିଳିବା ପରେ ହବିଷ୍ୟାଳି ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ଜିଲ୍ଲପାଳ ସୂଚନା ଦେଇଛନ୍ତି l  ହବିଷ୍ୟାଳୀ ଯୋଜନା ଦ୍ୱାରା ଗରିବ ଗୁରୁବା ହବିଷ୍ୟାଳୀ ମାଆ ମାନେ ବେଶ ଉପକୃତ ହେଉଥିବାବେଳେ ଚଳିତ ବର୍ଷ ଯୋଜନାର ଭାଗ୍ୟ ସରକାରଙ୍କର ଅନୁମୋଦନ ଅପେକ୍ଷାରେ l