ଠିକା ସଂସ୍ଥାର ମନମାନୀ, ସରୁନି ହଷ୍ଟେଲ କାମ

ରାୟଗଡା  : ରାୟଗଡା ଜିଲ୍ଲାରେ ହଷ୍ଟେଲ କାମ ଅଧା। ୨୦୧୮ରୁ କାମ ଆରମ୍ଭ ହୋଇଥିବା ବେଳେ ୨୨ଟି ହଷ୍ଟେଲ୍ କାମ ଏବେ ବି ଅସମ୍ପୂର୍ଣ୍ଣ। ଠିକା ସଂସ୍ଥାର ମନମୁଖି କାର୍ଯ୍ୟ ଯୋଗୁଁ କାମ ସମ୍ପୂର୍ଣ୍ଣ ହୋଇପାରୁନଥିବା ଅଭିଯୋଗ ହୋଇଛି। ଗୁଣପୁର ଅଞ୍ଚଳର ଶଗଡା, ଗାଦିଆଖଳା, ଚିନାସାରି ଓ କୁଜେନ୍ଦ୍ରି ହାଇସ୍କୁଲ୍ରେ ମଧ୍ଯ ଦୀର୍ଘ ଦିନ ହେବ ହଷ୍ଟେଲ କୋଠା ନିର୍ମାଣ ଚାଲିଥିବା ବେଳେ କାମ ସରିବାର ନାଁ ନେଉନି। ଚିନାସାରି ହାଇସ୍କୁଲରେ ପିଲା ଦିନରେ ଯେଉଁ ଶ୍ରେଣୀ ଗୃହରେ ପାଠ ପଢୁଛନ୍ତି ରାତିରେ ସେହି ଘରେ ଆଶ୍ରୟ ନେଉଛନ୍ତି। ରାୟଗଡା ଜିଲ୍ଲାରେ ୨୨ ଟି  ସ୍କୁଲ୍ରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୨୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ୍ ନିର୍ମାଣ ନିମନ୍ତେ ଅନୁମୋଦନ କରିଥିଲେ ସରକାର। ଅବଧି ସମୟ ସରିବା ପରେ ମଧ୍ୟ ଏପର୍ଯ୍ଯନ୍ତ ମାତ୍ର ଗୋଟିଏ କୋଠା କାମ ସମ୍ପୂର୍ଣ୍ଣ ହୋଇପାରିଛି। ଜିଲ୍ଲା ମଙ୍ଗଳ ବିଭାଗ ଠିକଦାରଙ୍କ ଉପରେ ଥାନାରେ ଏତଲା ଦେଇଥିବା ମଧ୍ୟ ଜଣାପଡିଛି।

ରାୟଗଡା ଜିଲ୍ଲାପାଳ ପାରୁଲ ପଟୱାରିଙ୍କୁ ପଚାରିବାରୁ ଠିକା କମ୍ପାନୀକୁ ଡକାଯାଇ ଆଲୋଚନା ହୋଇଛି, ଅତିଶୀଘ୍ର କାମ ସାରି ହସ୍ତାନ୍ତର କରିବା ନେଇ ଠିକାଦାର ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି। କିଛି ହଷ୍ଟେଲ କାମ ସରିବା ଉପରେ। ଠିକାଦର ଏଥିରେ ଖିଲାପ କଲେ ପ୍ରଶାସନ ବିହିତ ପଦକ୍ଷେପ ନେବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।