ମୁଣ୍ଡ ନୁଆଁଇଲେ ରାଜ୍ୟ ସରକାର: ଭାରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ପରେ ଆନ୍ଦୋଳନରୁ ଓହରିଲା ବିଜେଡି

ଭୁବନେଶ୍ବର: ବିଜେଡି ଦାବି ଆଗରେ ମୁଣ୍ଡ ନୁଆଁଇଲେ ରାଜ୍ୟ ସରାକର । ଦାବି ପୂରଣ ହୋଇଥିବାରୁ ଆସନ୍ତାକାଲି ଭୁବନେଶ୍ବର ବନ୍ଦ ନିଷ୍ପତ୍ତିରୁ ଓହରିଛି ବିଜେଡି । ଭରତପୁର ଥାନା ଘଟଣାରେ ନବୀନ ପଟ୍ଟନାୟକଙ୍କ ଦାବି ରାଜ୍ୟ ସରକାର ମାନି ନେଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ବିଜେଡି କହିଛି, ନିହାତି ଆବଶ୍ୟକ ନ ହେଲେ ଦାୟିତ୍ଵ ସଂପନ୍ନ ଦଳ ଭାବେ ଜନ ସାଧାରଣଙ୍କୁ ଅସୁବିଧାରେ ପକାଇବାକୁ ଉଚିତ ମନେ କରୁନାହୁଁ । ଡେରି ହେଲେ ବି ନବୀନଙ୍କ ଦାବି ଅନୁସାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ୬୦ ଦିନ ଭିତରେ ଘଟଣାର ନିରପେକ୍ଷ ତଦନ୍ତର ରେଜଲ୍ଟକୁ ଅପେକ୍ଷା କରିଛି ଦଳ । ପୀଡ଼ିତାଙ୍କୁ ନ୍ୟାୟ ନମିଳିଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ବିଜେଡି । ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲେ, ଅପରାଧୀଙ୍କ ପାଇଁ ଦୃଷ୍ଟାନ୍ତ ହୋଇଥାନ୍ତା ବୋଲି ବିଜେଡି କହିଛି ।

ଭରତପୁର ଥାନା ଲଜ୍ଜା ଘଟଣାରେ ବିଜେଡି ଆସନ୍ତାକାଲି ଭୁବନେଶ୍ଵର ବନ୍ଦ କରିବନି । ନବୀନ ପଟ୍ଟନାୟକଙ୍କ ଦାବିକୁ ମାନି ବିଚାର ବିଭାଗୀୟ ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଭୁବନେଶ୍ଵର ବନ୍ଦ ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖିଛି ବିଜେଡି । ପୀଡ଼ିତାଙ୍କ ନ୍ୟାୟ ପାଇଁ ନିର୍ଦ୍ଧାରିତ ୬୦ ଦିନକୁ ଅପେକ୍ଷା କରିଛି । ପୂର୍ବରୁ କେବଳ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରଶ୍ନ ଉଠିଥିଲା, ପୋଲିସ ବିରୋଧରେ ପୋଲିସ କିପରି ତଦନ୍ତ କରିବ । ତେଣୁ ନବୀନ ପଟ୍ଟନାୟକ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ । ତାକୁ ରାଜ୍ୟ ସରକାର ମାନି ନେଇଛନ୍ତି ।

ସେପଟେ ବିଜେପି ସରକାର ସମୟରେ ରାଜ୍ୟର ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ବଢ଼ିବାରେ ଲାଗିଛି । ଓଡ଼ିଆ ଏଏସଓଙ୍କୁ ମାଡ଼ ମାରିଥିଲେ ରାଜ୍ୟପାଳଙ୍କ ପୁଅ । ନ୍ୟାୟ ପାଇଁ ପ୍ରବଳ ଦାବି ପରେ ଜିଲ୍ଲାପାଳ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ୧୫ ଦିନରେ ରିପୋର୍ଟ ଆସିବା କଥା, କିନ୍ତୁ ଏଯାଏଁ ରିପୋର୍ଟ ଆସିନି । ଏଥିସହ ରାଉରକେଲା ନାବାଳିକା ଗଣଦୁଷ୍କର୍ମ, ନବରଙ୍ଗପୁରରେ ଭାତ୍ରା ସମ୍ପ୍ରଦାୟର ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ, ଭରତପୁର ଥାନା ଲଜ୍ଜା ପରି ଘଟଣା ଖବରର ଶିରୋନାମା ପାଲଟିଛି । ବିଜେଡି ଦାବି କରିଛି, କାହାଣୀ ନ କହି ରାଜ୍ୟ ସରକାର କାମ କରନ୍ତୁ ଓ ଦିନ ନ ଗଡ଼ାଇ ତୁରନ୍ତ ନ୍ୟାୟ ଦିଅନ୍ତୁ ।

ବିଜେପି ସରକାର ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛି ବିଜେଡି । ଭରତପୁର ଥାନା ଘଟଣା ୧୪ ତାରିଖ ରାତିରେ ହୋଇଥିବା ବେଳେ ୧୭ ତାରିଖରେ ସୁଭଦ୍ରା ଯୋଜନା ପାଇଁ ମୋଦିଙ୍କ ଗସ୍ତ ଥିବାରୁ ଏହାକୁ ଚାପି ଦେବାକୁ ଚେଷ୍ଟା କରିଥିଲା ବିଜେପି । ବିଜେଡି ପକ୍ଷରୁ ସନ୍ଦେହ କରାଯାଇଛି,  ୪ ଦିନ ହେଲାଣି ପୋଲିସ ପୀଡ଼ିତାଙ୍କ ଏକପାଖିଆ ଭିଡିଓ ଭାଇରାଲ୍ କରି ତାଙ୍କର ଚରିତ୍ର ସଂହାର କରୁଛି । ପ୍ରମାଣ ନଷ୍ଟ କରାଯାଉଥିବା ବି ଦଳ ସନ୍ଦେହ କରିଛି । ତେଣୁ ନ୍ୟାୟିକ ତଦନ୍ତ ପୂର୍ବରୁ ଟର୍ମସ ଅଫ ରେଫରାନ୍ସ ଘୋଷଣା କରି କୋର୍ଟ ଆଗରେ ଅନ୍ତରୀଣ ରିପୋର୍ଟ ରଖାଯାଉ ବୋଲି ଦଳ ଦାବି କରିଛି ।

ରାଜନୀତି ନୁହେଁ, ବରଂ ପୀଡ଼ିତାଙ୍କୁ ନ୍ୟାୟ ଓ ମହିଳାଙ୍କ ସମ୍ମାନ ରକ୍ଷା ସବୁ ସମୟରେ ନବୀନ ପଟ୍ଟନାୟକଙ୍କ ଫୋକସରେ ରହି ଆସିଛି । ହେଲେ ବିଜେପି ସରକାରର ପ୍ରଥମ ୧୦୦ ଦିନରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଯୋଗୁଁ ସାରା ଦେଶରେ ଓଡ଼ିଶା ନିନ୍ଦିତ ହେଉଛି ।