କନଷ୍ଟେବଳଙ୍କ ଦବଙ୍ଗଗିରି: ରାତି ଅଧରେ କଲେ ପ୍ରେମ ନିବେଦନ, ସ୍ବୀକାର ନକରିବାରୁ ନର୍ସଙ୍କୁ ପିଟିଲେ

ଯାଜପୁର: ସରକାର ବଦଳିବା ସହ ଓଡ଼ିଶା ପୋଲିସର ଦାଦାଗିରି ବଢ଼ି ଯାଇଛି । ଭରତପୁର ଥାନାରେ ସେନାର କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ଏମିତି ସମୟରେ ଓଡ଼ିଶା ପୋଲିସର ଆଉ ଏକ କାରନାମା ଯାଜପୁରରେ ଦେଖିବାକୁ ମିଳିଛି । ଜଣେ କନଷ୍ଟେବଳ ଜଣେ ଯୁବତୀଙ୍କ ଘରେ ପଶି ରାତି ଅଧରେ ପ୍ରେମ ନିବେଦନ କରିଛନ୍ତି । ଆଉ ଯୁବତୀ ଜଣଙ୍କ ତାଙ୍କ ପ୍ରେମ ନିବେଦନକୁ ଅସ୍ବୀକାର କରିବାକରୁ ତାଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ରାମବାଗ ଫାଣ୍ଡି କନଷ୍ଟେବଳ ଜିତେନ୍ଦ୍ର ବିଶ୍ୱାଳଙ୍କ ବିରୋଧରେ ଆସିଛି ଏମିତି ଅଭିଯୋଗ । ଜିତେନ୍ଦ୍ର ଉପ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଷ୍ଟାଫ ନର୍ସଙ୍କୁ ଏକ ତରଫା ପ୍ରେମ କରୁଥିଲେ । ବାରମ୍ବାର ପ୍ରେମ ନିବେଦନ କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ଗତକାଲି ରାତିରେ କନଷ୍ଟେବଳ ନର୍ସଙ୍କ ଘରେ ପଶି ପୁର୍ନବାର ପ୍ରେମ ନିବେଦନ କରିଥିଲେ । ଏଥିରେ ନର୍ସ ଅରାଜି ହେବାରୁ ତାଙ୍କୁ ଅସଦାଚରଣ କରିବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ ସଂପୃକ୍ତ କନଷ୍ଟର୍ବଳଙ୍କୁ ମଙ୍ଗଳପୁର ପୋଲିସ ଅଟକ ରଖି ପଚରାଉଚରା କରୁଛି ।