ସିଂହଦ୍ବାର ବ୍ୟାରିକେଡରେ ନାହିଁ ସେଡ୍, ଜଗା ଦର୍ଶନ ପାଇଁ କଲବଲ ହେଉଛନ୍ତି ଭକ୍ତ

1 min read

ପୁରୀ: ଶ୍ରୀମନ୍ଦିରରେ ଦିନକୁ ଦିନ ବଢୁଛି ଶ୍ରଦ୍ଧାଳୁଙ୍କ ସଂଖ୍ଯା । କାଳିଆ ଦର୍ଶନ ପାଇଁ ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ଯଟକ ଲମ୍ବା ଧାଡ଼ି ଯୋଗୁଁ ହେଉଛନ୍ତି କଲବଲ । ସିଂହଦ୍ୱାର ନିକଟ ବ୍ୟାରିକେଡରେ ସେଡ ନଥିବାରୁ ଖରାରେ ଆଉଟୁ ପାଉଟୁ ହେଉଛନ୍ତି ପିଲାଠୁ ବୁଢା ।

ସିଂହଦ୍ବାର ଠାରୁ ସାତ ପାହାଚ ସବୁଠି ପ୍ରବଳ ଭିଡ଼ । ସିଂହଦ୍ବାର ଆଗରେ ସେଡ ବ୍ଯବସ୍ଥା ନଥିବାରୁ ଖରାରେ ଆଉଟୁ ପାଉଟୁ ହେଉଛନ୍ତି ସଭିଏଁ । ପୂର୍ବ ସରକାର ସମୟରେ ବ୍ଯାରିକେଡ ଦେଇ ଯିବାବେଳେ ଶ୍ରଦ୍ଧାଳୁଙ୍କୁ ବିଶ୍ରାମ ସହ ପାନୀୟ ଜଳ ଓ ଫ୍ଯାନ ବ୍ଯବସ୍ଥା କରାଯାଇଥିଲା । ହେଲେ ଏବେ ମୁଣ୍ଡଫଟା ଖରାରେ ଠିଆ ହୋଇ ନୟାନ୍ତ ହେଉଛନ୍ତି ଶ୍ରଦ୍ଧାଳୁ । ଖାଲି ଖରା ନୁହେଁ, ବର୍ଷା ହେଲେ ଭିଜି ଭିଜି ଅପେକ୍ଷା କରୁଛନ୍ତି ଭକ୍ତ । ତେଣୁ ଦର୍ଶନ ବ୍ଯବସ୍ଥାକୁ ଶୃଙ୍ଖଳିତ କରିବା ସହ ସେଡ ନିର୍ମାଣ ପାଇଁ ଦାବି ହେଉଛି ।

ପରିକ୍ରମା ପ୍ରକଳ୍ପ ନିର୍ମାଣ ପରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଯାତାୟାତରେ ଅନେକ ସୁବିଧା ହୋଇଛି । ତେବେ ଦ୍ବାର ନିକଟରେ ବ୍ଯାରିକେଡ ସେଡ ନଥିବାରୁ ବାହାରୁ ଆସୁଥିବା ପର୍ଯ୍ଯଟକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ସିଞ୍ଚନ ପର୍ଯ୍ୟାପ୍ତ ମାତ୍ରାରେ ହେଉ ନଥିବା ମଧ୍ୟ ଅଭିଯୋଗ ହେଉଛି  l ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ପ୍ରଶାସନ । ସମସ୍ୟାର ସମଧାନ ପାଇଁ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି  l ଏପରିକି ନୂଆ କରି ନିର୍ମାଣ କରାଯାଇଥିବା ବଡ଼ଆଖଡ଼ା ମଠ ପଛପଟେ ଦେଇ ବ୍ୟାରିକେଡରେ ସେଡ ବ୍ୟବସ୍ଥା ଶୀଘ୍ର କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଛୁଟି ଆସୁଥିବା ବେଳେ ଦର୍ଶନ ପାଇଁ ଅବ୍ଯବସ୍ଥା ଦେଖି ଅସନ୍ତୋଷ ପ୍ରକାଶ କରୁଛନ୍ତି ।