ଉଚ୍ଛେଦ ଜମି ପୁଣି ଜବରଦଖଲ, ନନ୍ଦିଘୋଷରେ ଖବର ପ୍ରସାରଣ ପରେ ପୁଣି ଉଚ୍ଛେଦ ପାଇଁ ପ୍ରସ୍ତୁତି

ଭୁବନେଶ୍ବର: ରାଜଧାନୀ ଛାତି ଉପରେ ସରକାରୀ ଜମି ଜବରଦଖଲ । ନୟାପଲ୍ଲୀ ବେହେରା ସାହିର ପ୍ଲଟ ନମ୍ବର ୫୨୮ରେ ହୋଇଥିବା ଜବର ଦଖଲ ୨୦୧୮ରେ ଉଚ୍ଛେଦ ହେବା ପରେ ପୁଣି ଥରେ ତାହା ମାଫିଆଙ୍କ କବ୍ଜାରେ । ଏନେଇ ନନ୍ଦିଘୋଷ ଟିଭି ଖବର ପ୍ରସାରଣ କରିଥିଲା । ବିଏମସି, ବିଡ଼ିଏ ଓ ଜିଏ ବିଭାଗ ଏହାକୁ ଜବରଦଖଲ ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଆଜି ବିଡ଼ିଏ ପକ୍ଷରୁ ସରକାରୀ ସମ୍ପତ୍ତି ବୋଲି ସାଇନ ବୋର୍ଡ଼ ଲଗାଯାଇଛି । ଶୀଘ୍ର ଉଚ୍ଛେଦ ପ୍ରକ୍ରିୟା ହେବ ବୋଲି ଅଧିକାରୀ କହିଛନ୍ତି ।

ଭୁବନେଶ୍ବର ନୟାପଲ୍ଲୀ ବେହେରା ସାହି, ଓ୍ବାର୍ଡ଼ ନମ୍ବର ୩୮ରେ ସରକାରୀ ଜମି ଜବରଦଖଲ । ୨୦୧୮ରେ ସରକାର ଏହାକୁ ଉଚ୍ଛେଦ କରି ପାଚେରୀ ବୁଲାଇ ଥିଲେ । ହେଲେ ସରକାରୀ ଜମିରେ ନିଜର ମିଛ ଅଧିକାର ସାବ୍ୟସ୍ତ ଆଳରେ ପୁଣି ଗଢି ଉଠିଲା ଘର । ଖୁଲମଖୁଲ୍ଲା ସମସ୍ତଙ୍କ ଜାଣତରେ ଚାଲିଲା ଜବରଦଖଲ । ଗତ ୧୪ ତାରିଖରେ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଚେତିଛନ୍ତି ସରକାର । ଆଜି ବିଡିଏ ପକ୍ଷରୁ ସରକାରୀ ସମ୍ପତ୍ତିର ବୋର୍ଡ଼ ଲାଗିଛି । ଶୀଘ୍ର ଉଚ୍ଛେଦ ପ୍ରକ୍ରିୟା ହେବ ବୋଲି ବିଡିଏ ଅଧିକାରୀ ବିଭୁ ପ୍ରସାଦ ରଥ କହିଛନ୍ତି ।

୨୦୧୮ରେ ନୟାପଲ୍ଲୀ ବେହେରା ସାହିର ସରକାରୀ ଜାଗା ପ୍ଲଟ ନମ୍ବର ୫୨୮ ଜବରଦଖଲ ମୁକ୍ତ ହୋଇଥିଲା । ହେଲେ ୬ ମାସ ହେଲା ସେହି ଜାଗାରେ କିଛି ଲୋକ ମନଇଚ୍ଛା ଘର ତିଆରି ଆରମ୍ଭ କରିଥିଲେ । ଗଢ଼ି ଉଠିଥିଲା କଂକ୍ରିଟ ଘର ସହ ଗ୍ରାନାଇଟ ଟାଇଲ ଯୁକ୍ତ ବଡ଼ ବଡ଼ ଘର । ବହୁତଳ ପ୍ରାସାଦର ମୂଳଦୁଆ ବି ପଡ଼ିଥିଲା । ସରକାରୀ ଜାଗାରେ ଏସବୁ କିପରି ସମ୍ଭବ ହେଉଛି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଥିଲେ । କାର୍ଯ୍ୟାନୁଷ୍ଠାନ ଲାଗି ମେୟର ପ୍ରତିଶ୍ରୁତି ଦେଇଥିଲେ । ଆଜି ବିଡ଼ିଏ ଟିମ୍ ପହଞ୍ଚିବା ପରେ ଜବରଦଖଲକାରୀମାନେ ଏହାକୁ ବିରୋଧ କରିଥିଲେ । କୋର୍ଟରେ ମାମଲା ଥିବା କଥା କହି ନିଜ ଅଧିକାର ଜାହିର କରିବାକୁ ଉଦ୍ୟମ କରିଥିଲେ । ହେଲେ ପୋଲିସ ଓ ବିଡ଼ିଏ ଟିମ ଉପସ୍ଥିତିରେ ସରକାରୀ ସମ୍ପତ୍ତିର ବୋର୍ଡ଼ ଲାଗିଛି । ପ୍ରଭାବଶାଳୀ ଲୋକ ବହୁତଳ ପ୍ରାସାଦର ମୂଳଦୁଆ ପକାଇଥିବା ବେଳେ ଖବର ପ୍ରସାରଣ ପରେ ଏଥିରୁ ନିବୃତ୍ତ ରହିଛନ୍ତି । ହେଲେ ଏହା କେବେ ଉଚ୍ଛେଦ ହେବ, ତାହା ସନ୍ଦେହରେ ରହିଛି ।

ରାଜ୍ୟରେ ସରକାରୀ ଜମି ଜବରଦଖଲ ମୁକ୍ତ କରିବାକୁ ମୋହନ ସରକାର ସ୍ଲୋଗାନ ଦେଉଥିବା ବେଳେ ରାଜଧାନୀରେ ଚାଲିଛି ଖୁଲମଖୁଲା କାରବାର । ସରକାରୀ ଜାଗା କେବେ ଜବରଦଖଲରୁ ମୁକ୍ତ ହେବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।