ଭରତପୁର ଥାନା ଘଟଣା: ଆଜି ରାଜଭବନ ଆଗରେ ବିଜେଡିର ପ୍ରତିବାଦ

ଭୁବନେଶ୍ୱର: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । ପୋଲିସର ବର୍ବରତାକୁ ବିରୋଧ କରି ଆଜି ରାଜଭବନ ଆଗରେ ବିକ୍ଷୋଭ କରିବ ବିଜେଡି । ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନ୍ୟାୟ ଦେବା ପାଇଁ ବିଜେଡି ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେବ ।

ବିଜେଡି ଦଳ ଅଭିଯୋଗ କରିଛି ଯେ, ରାଜ୍ଯରେ ଭୁଶୁଡି ପଡିଛି ଆଇନ ଶୃଙ୍ଖଳା ସ୍ଥିତି। ସେଥିପାଇଁ ଜଣେ ସେନା ଅଧିକାରୀଙ୍କୁ ଥାନାରେ ମାଡ଼ ମରାଗଲା, ଜଣେ ସେନା ଅଧିକାରୀଙ୍କ ଝିଅଙ୍କୁ ଥାନାରେ ଅସଦାଚରଣ କରିଛନ୍ତି ନିଜେ ଆଇଆଇସି। ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଆଉ ସରକାରଙ୍କ ନିୟନ୍ତ୍ରଣରେ ନାହିଁ ବୋଲି ବିଜେଡି ଅଭିଯୋଗ କରିଛି। ରାଜ୍ୟପାଳଙ୍କ ପୁଅ ଓଡିଆ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ଯଦି ସରକାର କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ ତେବେ ଏହି ମେଜର ଓ ବାନ୍ଧବୀ ଘଟଣା ଘଟିନଥାନ୍ତା ବୋଲି ଦଳ କହିଛି।

ସେପଟେ ଭରତପୁର ଥାନାରେ ନିର୍ଯାତନା ପ୍ରତିବାଦରେ ଭୁବନେଶ୍ବର ପୋଲିସ କମିଶନର ଅଫିସ ଆଗରେ ବିଜେଡି ନେତା ମନ୍ମଥ ରାଉତରାୟଙ୍କ ଧାରଣା। ନ୍ୟାୟ ମିଳିବା ପର୍ଯ୍ଯନ୍ତ ଧାରଣା ଦେବେ ବୋଲି କହିଛନ୍ତି ମନ୍ମଥ। ଏହି ଜଘନ୍ୟକାଣ୍ଡରେ ସଂପୃକ୍ତ ଥିବା ଆଇଆଇସି ଓ ୪ ଜଣ ପୋଲିସ କର୍ମୀଙ୍କୁ ଚାକିରିରୁ ବହିଷ୍କାର କରି ଜେଲ ପଠାଯାଉ ବୋଲି ଦାବି ହୋଇଛି। ସାମାଜିକ କର୍ମୀ ଇନ୍ଦୁଜା ଉପାଧ୍ୟାୟଙ୍କ ନେତୃତ୍ଵରେ କିଛି ସାମାଜିକ କର୍ମୀ ମଧ୍ୟ ଧାରଣା ଦେଇଛନ୍ତି।

ଅନ୍ୟପଟେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଓ ଯୌନ ଉତ୍ପୀଡନକୁ ନେଇ ରାଜ୍ୟଠୁ ଆରମ୍ଭ କରି ସାରା ଦେଶରେ ହଇଚଇ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ତୀବ୍ର ଦାବି ହୋଇଛି। ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ପୋଲିସ ଅଟକ ରଖିଥିବା ବେଳେ, ୫ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଘଟଣାରେ ସଂପୃକ୍ତ ଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ଜୁଡିସିଆଲ ତଦନ୍ତ ଦାବି ହୋଇଛି। କ୍ରାଇମବ୍ରାଞ୍ଚ ମୂଳ ମାମଲା ନେଇ ଖୋଳତାଡ଼ ଆରମ୍ଭ କରି ଚନ୍ଦକା ଥାନାରେ ପହଞ୍ଚିବା ପରେ ୭ ଜଣଙ୍କୁ ଉଠାଇ ଆଣିଛି । ଯେଉଁ ଗାଡ଼ିରେ ବୁଲିବା ସହ ପଥରଗାଡ଼ିଆ ରାସ୍ତାରେ ହଲ୍ଲାବୋଲ ଡାକରା ଦେଇଥିଲେ ଅଭିଯୁକ୍ତ ସେହି ଗାଡିକୁ ମଧ୍ୟ ପୋଲିସ ଜବତ କରିଛି।

‘ଉଇ କେୟାର, ଉଇ ଡେୟାର’ ନାରା ଦେଉଥିବା କମିଶନରେଟ ପୋଲିସ ଏବେ ସାରା ଦେଶରେ ବଦନାମ ହୋଇଛି । ଏଠି ପ୍ରଶ୍ନ ଉଠୁଛି, ୭ ଜଣ ରୋଡ ରୋମିଓଙ୍କୁ ଅଟକ ରଖାଯାଇଥିବା ବେଳେ, ସଂପୃକ୍ତ ୫ ପୋଲିସ କର୍ମଚାରୀଙ୍କ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ। ଏହି ଘଟଣା ଏବେ ସୋସିଆଲ ସାଇଟ ଏକ୍ସରେ ଟ୍ରେଣ୍ଡ କରୁଥିବା ବେଳେ, ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ ଆକ୍ସନ ନେବାକୁ ଶାଣିତ ହୋଇଛି ସ୍ବର।