ବିଶ୍ବରେ କାୟା ମେଲାଇବାରେ ଲାଗିଛି କୋଭିଡର ନୂଆ ଭାରିଆଣ୍ଟ

1 min read

ନନ୍ଦିଘୋଷ ବ୍ୟୁରୋ : ଏବେ ବି ବିଶ୍ବରେ କାୟା ମେଲାଇବାରେ ଲାଗିଛି କୋଭିଡର ନୂଆ ଭାରିଆଣ୍ଟ। ଏହି ନୂଆ ଭାରିଆଣ୍ଟର ନାମ XEC ରହିଛି। ଏହା ଓମିକ୍ରନର ଏକ ସବଭାରିଆଣ୍ଟ। ମାତ୍ର ୩ ମାସ ମଧ୍ଯରେ ଏହି ଭାରିଆଣ୍ଟ ୨୭ଟି ଦେଶରେ କାୟା ମେଲାଇଛି। କୋଭିଡ-୧୯ ତୁଳନାରେ ଏହି ଭାରିଆଣ୍ଟ ଅଧିକ ସଂକ୍ରମଣଶୀଳ ହେବ ବୋଲି କୁହାଯାଇଛି। ସେପଟେ ଚୀନର ଉହ୍ବାନ ସହରରୁ ଭୟଙ୍କର କୋଭିଡ ଭୂତାଣୁର ଉତ୍ପତ୍ତି ହୋଇଥିବା ନେଇ ଆସିଲା ପୁଣି ଆଉ ଏକ ରିପୋର୍ଟ । ୨୦୧୯ରେ ସାରା ବିଶ୍ବର ଆତଙ୍କ ଖେଳାଇଥିବା ଭୂତାଣୁର ଉତ୍ପତ୍ତି ଉହ୍ବାନରେ ହୋଇନାହିଁ ବୋଲି ଚୀନ କହିଆସୁଥିବାବେଳେ ଏହି ରିପୋର୍ଟ ସତକୁ ପଦାକୁ ଆଣିଛି । ପ୍ରାୟ ୫ ବର୍ଷ ପରେ ଆସିଥିବା ଏହି ରିପୋର୍ଟକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ୨୦୧୯ ଶେଷ ଭାଗରେ ପ୍ରଥମେ ଗୋଟିଏ କୋଭିଡ ସଂକ୍ରମଣ ମାମଲା ପଦାକୁ ଆସିଥିଲା । ପରେ ଏହା ସାରା ବିଶ୍ବକୁ ଗ୍ରାସ କରିଥିଲା । ଭୂତାଣୁ ସମ୍ପର୍କିତ ଗବେଷଣା କରୁଥିବା ଉହ୍ବାନର ଲାବରେଟୋରୀରୁ ଏହି ଉତ୍ପନ୍ନ ହୋଇଥିଲା । ଉହ୍ବାନର ହୁଆନନ ସି-ଫୁଡ ମାର୍କେଟରୁ ସଂଗୃହୀତ ୮୦୦ ନମୁନାର ଗବେଷଣା ରିପୋର୍ଟ ସେଲ୍ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ଏହି ମାର୍କେଟରୁ ଗତ ଜାନୁଆରୀ ୨୦୨୦ରେ ନମୁନା ସଂଗ୍ରହ ହୋଇଥିଲା । ତେବେ ସେତେବେଳେ ସେହି ମାର୍କେଟରେ ରାକନ କୁକୁର ଓ ସିଭେଟ ପ୍ରଜାତିର କେତେକ ପ୍ରାଣୀ ଥିଲେ ବୋଲି ରିପୋର୍ଟରେ କୁହାଯାଇଛି । ଏହି କ୍ଷୁଦ୍ର ସ୍ତନ୍ଯପାୟୀ ପ୍ରାଣୀମାନେ ମଣିଷଙ୍କ ପରି ବିଭିନ୍ନ ଭୂତାଣୁର ସଂକ୍ରମଣ ହୋଇପାରିଥାନ୍ତି । ମଣିଷ ଓ ବାଦୁଡିଙ୍କ ମଧ୍ଯରେ ଏକ ଇଣ୍ଟରମିଡିଏଟ ହୋଷ୍ଟ ସାଜିଥିବା ଏହି ଭୂତାଣୁଙ୍କଠାରୁ ସାର୍ସ କୋଭିଡ-୨ ଉତ୍ପନ୍ନ ହୋଇଥାଇପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।