ମୋହନ ସରକାରଙ୍କ ଶହେ ଦିନର ବିଫଳତାର ଲମ୍ବା ତାଲିକା ବଖାଣିଛନ୍ତି ନବୀନ

ଭୁବନେଶ୍ବର : ରାଜ୍ୟରେ ବଦଳିଛି ସରକାର। ପ୍ରତି ବଦଳରେ ରାଜ୍ୟରେ ବିପର୍ଯ୍ୟସ୍ତ ହୋଇଛି ଆଇନଶୃଙ୍ଖଳା ପରିସ୍ଥିତି। ବଢ଼ି ଚାଲିଛି ଅପରାଧ। କିନ୍ତୁ ଦୋଷୀଙ୍କ ବିରୋଧରେ ହେଉନାହିଁ କାର୍ଯ୍ୟାନୁଷ୍ଠାନ। ଯାହାର ବଡ଼ ଉଦାହରଣ ହେଉଛି ରାଜ୍ୟପାଳଙ୍କ ପୁଅ ଜଣେ ଓଡ଼ିଆ ଅଧିକାରୀଙ୍କୁ ମାଡ଼ ମାରିବା। ରାଜ୍ୟରେ ବିଗିଡିଛି ଆଇନ ଶୃଙ୍ଖଳା। ଦୁର୍ନୀତି ଖବର ବି ସାମ୍ନାକୁ ଆସୁଛି । ନୂଆ ସରକାରଙ୍କ  କାର୍ଯ୍ୟ ସନ୍ତୋଷଜନକ ନୁହେଁ। କାମ କମ, କେବଳ ପ୍ରଚାରରେ ମାତିଛି ବିଜେପି ସରକାର। ମୋହନ ସରକାରଙ୍କ ଶହେ ଦିନର ବିଫଳତାର ଲମ୍ବା ତାଲିକା ନେଇ ଗଣମାଧ୍ୟମ ଆଗରେ ବଖାଣିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସରକାର ନିଜର ସଫଳତାକୁ ନେଇ ଡିଣ୍ଡିମ ପିଟୁଥିବା ବେଳେ, ବାସ୍ତବତାର ଅସଲ ଚିତ୍ରକୁ ଟିକିନିଖ କରି ଉପସ୍ଥାପନ କରିଛନ୍ତି ନବୀନ।

ଅନ୍ୟପଟେ ଶହେ ଦିନରେ ବିଜେପି ସରକାର ଓଡ଼ିଶାବାସୀଙ୍କୁ ପ୍ରତିଶ୍ରୃତି ଦେଇ ପ୍ରତାରଣା କରିଥିବା ଅଭିଯୋଗ କରିଛି କଂଗ୍ରେସ। ସୁଭଦ୍ରା ଯୋଜନାରେ ସମସ୍ତ ମହିଳାଙ୍କୁ ସାମିଲ କରିବା ସହ ୨ ବର୍ଷରେ ୫୦ ହଜାର ଟଙ୍କାର ଭାଉଚର, ୩୦୦ ୟୁନିଟ୍ ମାଗଣା ବିଜୁଳି, ୩୫ ଶହ ଭତ୍ତା ପ୍ରତିଶ୍ରୃତି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ। ସେହିପରି ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଏଏସଓଙ୍କୁ ମାଡ଼ କରିବା କଣ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିଛି ବିଜେଡି। ଯାହାର ଉତ୍ତର ରଖିଛନ୍ତି ବିଜେପି।

ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ମୋହନ ସରକାର। ନିର୍ବାଚନୀ ଇସ୍ତାହାରରେ କରିଥିଲେ ବଡ଼ ବଡ଼ ଘୋଷଣା। ଜନତାଙ୍କୁ ଦେଇଥିଲେ ଅନେକ ପ୍ରତିଶ୍ରୁତି। କିନ୍ତୁ ପ୍ରତିଶ୍ରୁତି ପୂରଣ କରିବେ କଣ, ଆକ୍ତାମାକ୍ତା ହୋଇପଡିଲାଣି ଆଇନ ଶୃଙ୍ଖଳା।  ଯାହାକୁ ନେଇ ଏବେ ବିରୋଧୀ ଆକ୍ସନ ମୁଡକୁ ଆସିବା ସହ ବିଜେପି ସରକାରକୁ କଡ଼ା ସମାଲୋଚନା କରିଛନ୍ତି।