ବିପଦ ସଂକେତ ତଳକୁ ଖସିଲା ସୁବର୍ଣ୍ଣରେଖା, ପାଣି କମିଥିବାରୁ ଗାଁକୁ ଫେରିଲେ ଲୋକେ

1 min read

ବାଲେଶ୍ବର : ସୁଧୁରୁଛି ବାଲେଶ୍ବର ବନ୍ଯାସ୍ଥିତି । ସୁବର୍ଣ୍ଣରେଖା ନଦୀର ବନ୍ୟାଜଳ ବିପଦ ସଙ୍କେତ ତଳକୁ ଖସିଛି । ଭୋଗରାଇ, ବାଲିଆପାଳ ବ୍ଲକରେ ବନ୍ୟା ସ୍ଥିତିରେ ଆସିଛି ସୁଧାର । ପାଣି କମିବା ପରେ ପ୍ରଭାବିତଙ୍କ ଦୁଃଖ ବଢି ଯାଇଛି । ଆଶ୍ରୟ ସ୍ଥଳୀରୁ ଘରକୁ ଫେରିଥିଲେ ସୁଦ୍ଧା ଘର ଭାଙ୍ଗି ଯାଇଥିବାରୁ ଆଶ୍ରୟସ୍ଥଳକୁ ସଜାଡିବାରେ ଲାଗିଛନ୍ତି ଗ୍ରାମବାସୀ ।

ଯେଉଁଠି ଗାଈ ଗୁହାଳ ଥିଲା ସେଠି ଚାଲିଛି ରୋଷେଇ ଘର । ବନ୍ଯା ଉଜାଡ଼ି ଦେଇଛି ଝାଟିମାଟିର ନୂଆଁଣିଆ ଘର । ବନ୍ଯା ଦେଇଛି ବାଲେଶ୍ବରବାସୀଙ୍କୁ ଦୁଃଖ । ପାଣି କମିବା ସହ ବଢିଛି ଦୁର୍ଦ୍ଦଶା । ଇଏ ହେଉଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଆରୁହାବୃତ୍ତି-1 ଗାଁର ଦୃଶ୍ୟ । ମକର ବେହେରା ସ୍ତ୍ରୀ ମିନତିଙ୍କ ସହିତ ମିଶି ଭଙ୍ଗା କାନ୍ଥରେ କାଦୁଅ ବୋଳୁଛନ୍ତି । ପିଣ୍ଢାରେ ଗୋଟି ଫୁଟ ଉଚ୍ଚର କାଦୁଅ । ତେଣୁ ଗାଈଁ ଗୁହାଳରେ ଚଳୁଛନ୍ତି ପରିବାର । ବନ୍ୟାରୁ ବଞ୍ଚି ଯାଇଥିବା ସାମଗ୍ରୀକୁ ଘର ଭିତରୁ ବାହାରକରି ଶୁଖାଉଛନ୍ତି । ସୋମବାର ରାତିରେ ହଠାତ୍ ସୁବର୍ଣ୍ଣରେଖାର ବନ୍ୟାଜଳ ଗାଁ ଭିତରକୁ ମାଡ଼ି ଆସିଲା । ଛୁଆ ପିଲାଙ୍କୁ ଧରି ନିକଟରେ ଥିବା ସ୍କୁଲ ଘରେ ଚଳୁଥିଲେ ପରିବାର । ପାଣି ଛାଡ଼ିବା ପରେ ଘରକୁ ଫେରିଛନ୍ତି । ହେଲେ ଘର ଅବସ୍ଥା ଦେଖି ମୁଣ୍ଡରେ ହାତ ଦେଇଛନ୍ତି। ଘର ସଜାଡ଼ିବାକୁ ଏକମାସ ଲାଗିବ ବୋଲି କହିଛନ୍ତି ମକର ।

ସୁବର୍ଣ୍ଣରେଖା ନଦୀ କୂଳରେ ଥିଲା କାର୍ତ୍ତିକ ବେହେରାଙ୍କ ଘର । ନଦୀ ଆଁରେ ଘର ମିଶିଯିବା ପରେ ପିଲା ଛୁଆଙ୍କୁ ଧରି ଗାଁ ନିକଟରେ ରହୁଥିଲେ । ହେଲେ ଏଠିବି ଦୁଃଖ ଦେଲା ସୁବର୍ଣ୍ଣରେଖା । ଛୁଆ ପିଲାଙ୍କୁ ଧରି ଛାତ ଉପରେ ରହୁଛନ୍ତି କାର୍ତ୍ତିକଙ୍କ ପରିବାର । ତଳେ ରୋଷେଇ, ଆଉ ଛାତରେ ଖିଆପିଆ । ଆଜି ମଧ୍ୟ ଭୋଗରାଇ ଓ ବାଲିଆପାଳ ବ୍ଲକ୍ର ୪୦ରୁ ଅଧିକ ଗାଁରେ ଅଛି ପାଣି । କମର୍ଦ୍ଦାରୁ ବାଲିଆପାଳ ରାସ୍ତାର ଉଲୁଡ଼ାରେ ରାସ୍ତା ଉପରେ ୨ ଫୁଟର ପାଣି ଚାଲିଛି । ବନ୍ଯାପାଇଁ ୧୯ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା  । ଜିଲ୍ଲାରେ ମୋଟ ୩୦ହଜାର ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଥିବା ପ୍ରଶାସନ ତରଫରୁ ସ୍ପଷ୍ଟ କରାଯାଇଛି । ସ୍ଥାନାନ୍ତର କରାଯାଇଥିବା କେତେକ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ପ୍ରଶାସନ କହିଛି ଖୁବ୍ ଶିଘ୍ର ପରିସ୍ଥିତି ସ୍ବାଭାବିକ ହୋଇଯିବ।