ଚନ୍ଦ୍ରାୟନ-୪କୁ କ୍ୟାବିନେଟ ମଞ୍ଜୁରୀ, ୨୦୪୦ରେ ଚନ୍ଦ୍ରରେ ପାଦ ଦେବ ଭାରତ

1 min read

ନୂଆଦିଲ୍ଲୀ: ୨୦୪୦ ସୁଦ୍ଧା ଚନ୍ଦ୍ରରେ ପାଦ ଦେବ ଭାରତ । ଭାରତୀୟ ମହାକାଶଚାରୀ ଓହ୍ଲାଇବେ ଚନ୍ଦ୍ରରେ । ଏହି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ । ଚନ୍ଦ୍ରୟାନ-୩ର ସଫଳତା ପରେ ଚନ୍ଦ୍ରାୟନ-୪କୁ ଆଜି କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି ।

ଏହି ପ୍ରକଳ୍ପରେ ରହିଛି ମୁନ୍ ମିଶନ । ଚନ୍ଦ୍ରପୃଷ୍ଠରେ ପଦାର୍ପଣ କରିବେ ଭାରତୀୟ । ଚନ୍ଦ୍ରାୟନ-୪ର ସମୟକୁ ୩୬ ମାସ ବୃଦ୍ଧି କରାଯାଇଥିବା ବେଳେ ବଜେଟ ରହିଛି ୨୧୦୪ କୋଟି ଟଙ୍କା । ସେହିପରି ଶୁକ୍ର ଅର୍ବିଟର ମିଶନ ଓ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟନ୍ ମଞ୍ଜୁରୀ ମିଳିଛି । ଶୁକ୍ର ଗ୍ରହ ସଂପର୍କରେ ଗବେଷଣା ପାଇଁ କାମ କରିବ ଶୁକ୍ର ଅର୍ବିଟର ମିଶନ । ସେହିପରି ମହାକାଶରେ ଏକ ସ୍ପେସ୍ ଷ୍ଟେସନ ନିର୍ମାଣ କରାଯିବ । ଗଗନଯାନ ପ୍ରକଳ୍ପକୁ ସଂପ୍ରସାରଣ କରି ଅନ୍ତରୀକ୍ଷ ଷ୍ଟେସନ ନିର୍ମାଣ କରାଯିବ । ଶୁକ୍ର ଅର୍ବିଟର ମିଶନ ପାଇଁ ୮୨୪ କୋଟି ଓ ଅନ୍ତରୀକ୍ଷ ଷ୍ଟେସନ ପାଇଁ ୧୧ ହଜାର ୧୭୦ କୋଟି ଟଙ୍କାର ବଜେଟ କରାଯାଇଛି ।

ଆଉ କାହାକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ ?

ସେହିପରି ସାର୍ ସବସିଡି ପାଇଁ ୨୫ ହଜାର ୪୭୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ ଯୋଜନାକୁ ଜାରି ରଖିବାକୁ ମଧ୍ୟ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଏଥିପାଇଁ ମଞ୍ଜୁର ହୋଇଛି ୩୫ ହଜାର କୋଟି ଟଙ୍କା ।  ଆଦିବାସୀଙ୍କ ବିକାଶ ପାଇଁ ଏକ ଯୋଜନା ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନକୁ ମଧ୍ୟ ମିଳିଛି ମଞ୍ଜୁରୀ । ଏଥିରେ ଖର୍ଚ୍ଚ ହେବ ପ୍ରାୟ ୮୦ ହଜାର କୋଟି ଟଙ୍କା । ଏହି ଅଭିଯାନ ମାଧ୍ୟମରେ ୬୩ ହଜାର ଗାଁର ୫ କୋଟି ଆଦିବାସୀ ଉପକୃତ ହେବ । ବାୟୋଟେକ୍ନୋଲଜି ବିଭାଗର ଦୁଇଟି ପ୍ରକଳ୍ପକୁ ମଧ୍ୟ ଜାରି ରଖିବାକୁ ଅନୁମୋଦନ ମିଳିଛି । ସେହିପରି ନ୍ୟାସନାଲ ସେଣ୍ଟର ଫର ଏକ୍ସଲେନ୍ସ ଫର୍ ଆନିମେସନ, ଭିଜୁଆଲ୍ ଗେମିଂ, କମିକ୍ସ ଓ ଏକ୍ସଟେଣ୍ଡେଡ ରିୟଲିଟି ପ୍ରତିଷ୍ଠା  କରିବାକୁ ମଞ୍ଜୁରୀ ମିଳିଛି ।