ଜଳବାୟୁ ଅନୁକୂଳ କୃଷିରେ ପୂର୍ବ ନବୀନ ସରକାରଙ୍କ ଭୂମିକାକୁ ପ୍ରଶଂସା

ଭୁବନେଶ୍ବର: ନରଓ୍ବେ ସରକାରଙ୍କ ଅନୁଦାନରେ ୬ ବର୍ଷ ତଳେ ଗଞ୍ଜାମ ଜିଲ୍ଲାର ଦୁଇଟି ବ୍ଲକରେ ଆରମ୍ଭ ହୋଇଥିବା ଜଳବାୟୁ ଅନୁକୂଳ କୃଷି ଚାଷୀର ଆର୍ଥିକ ବିକାଶ କରିବା ସହିତ ଅନ୍ୟ ରାଜ୍ୟ ଓ ଦେଶ ପାଇଁ ନୂଆ ଉଦାହରଣ ସୃଷ୍ଟି କରିଛି । ଦୁର୍ବିପାକ ମୁକାବିଲା ସହିତ ନିରନ୍ତର ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାରେ ପୂର୍ବ ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିବା ଉଦ୍ୟମ ଆଜି ଓଡିଶାକୁ ବିଶ୍ବ ଦରବାରରେ ପରିଚିତ କରିପାରିଛି । ଜଳବାୟୁ ଅନୁକୂଳ କୃଷିରେ ପୂର୍ବ ନବୀନ ସରକାରଙ୍କ ଭୂମିକାକୁ ମିଳୁଛି ପ୍ରଶଂସା ।

ବାତ୍ୟା, ବନ୍ୟା, ମରୁଡ଼ି । ଓଡ଼ିଶାର ଚିର ସହଚର । ଦୁର୍ବିପାକରେ ରାଜ୍ୟର ଚାଷୀ ଯେପରି ତଳିତଳାନ୍ତ ନ ହୁଏ, ସେଥିପାଇଁ ପୂର୍ବ ନବୀନ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ଜଳବାୟୁ ଅନୁକୂଳ କୃଷି ଯୋଜନା ଆଜି ବିଶ୍ବକୁ ନୂଆ ଦିଗ ଦେଖାଇଛି । ୨୦୧୮ ମସିହାରେ ନରଓ୍ବେ ସରକାରଙ୍କ ଆର୍ଥିକ ଅନୁଦାନରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଗବେଷଣା କରି ଗଞ୍ଜାମ ଜିଲ୍ଲାରେ ପରୀକ୍ଷାମୂଳକ ଭାବେ ଦୁର୍ବିପାକ ନିରୋଧୀ ଚାଷ ଆରମ୍ଭ କରିଥିଲେ । ସୁରଡ଼ା ବ୍ଲକର ଲାଠିଗଦା, ସୋରିଷବିଲି ଓ ରଙ୍ଗେଇଲୁଣ୍ଡା ବ୍ଲକର ଚିକରଡ଼ା ଓ ଶାସନପଦର ଗ୍ରାମରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଛି । ଆଗକୁ ରାଜ୍ୟର ନୟାଗଡ଼, କନ୍ଧମାଳ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଜଳବାୟୁ ଅନୁକୂଳ ବିହନ ପ୍ରୟୋଗ କରି ଚାଷ କାର୍ଯ୍ୟ କରିବାକୁ ଯୋଜନା ରହିଛି ।

ଦୁର୍ବିପାକ ସମୟରେ ଚାଷୀର ଅଭୂତ କ୍ଷତି ହୋଇଥାଏ । ଏଥିପାଇଁ ରାଜ୍ୟ ସରକାରଙ୍କ ଇନପୁଟ ସହାୟତା, ବୀମା କ୍ଷତିପୂରଣ ଚାଷୀର ଆର୍ଥିକ ଓ ମାନସିକ ଆଘାତଜନିତ କ୍ଷତିକୁ ଭରଣା କରିପାରେନି । ଏ ନେଇ ପୂର୍ବ ସରକାର ସମୟରେ ଚାଷୀଙ୍କ ପାଇଁ ଧାନ ଫସଲ ସହିତ ବିଭିନ୍ନ ଅର୍ଥକାରୀ ଫସଲ ଉତ୍ପାଦନ ଉପରେ ଗୁରୁତ୍ବ ଦିଆଯାଇଥିଲା । ଏ ନେଇ ସମୃଦ୍ଧ କୃଷକ ନୀତିରେ ପନିପରିବାଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାର କୃଷି ଜଳବାୟୁ ଉପଯୋଗୀ ଫସଲ ଉତ୍ପାଦନ ଉପରେ ପ୍ରୋତ୍ସାହନ ପ୍ରଦାନ ନେଇ ବ୍ୟବସ୍ଥା ହୋଇଥିଲା ।

ଜଳବାୟୁ ଅନୁକୂଳ କୃଷି ପାଇଁ ଭାରତ ସହିତ ମିଶି ନରଓ୍ବେ, ତାଞ୍ଜାନିଆ କାମ କରୁଛନ୍ତି । ପ୍ରତିବର୍ଷ ଓଡ଼ିଶା ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଥିବାରୁ ଦୁର୍ବିପାକ ସହନଶୀଳ କୃଷିର ଗବେଷଣା ପାଇଁ ପ୍ରକୃଷ୍ଟ ସ୍ଥାନ ଭାବେ ଓଡ଼ିଶାକୁ ଚିହ୍ନଟ କରାଯାଇଛି ।