ସ୍ଥଗିତ ରହିଲା ଖଣ୍ଡପଡ଼ା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ନିର୍ବାଚନ, ପ୍ରତିବାଦରେ ବିଜେଡି କାଉନସିଲରଙ୍କ ଧାରଣା

ନୟାଗଡ଼: ଖଣ୍ଡପଡ଼ା ଅଧ୍ୟକ୍ଷା ଅନାସ୍ଥା ପାଇଁ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସ୍ଥଗିତ ରହିଲା । ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ ଅନୁପସ୍ଥିତ ରହିବାରୁ ନିର୍ବାଚନକୁ ସ୍ଥଗିତ ରଖାଯାଇଛି ।

ମୋଟ ୧୩ ଜଣ କାଉନସିଲରଙ୍କ ମଧ୍ୟରୁ ଅଧ୍ୟକ୍ଷାଙ୍କ ବିରୋଧରେ ମତଦାନ ପାଇଁ ବିଜେଡି ଶିବିରରେ ୯ ଜଣ କାଉନସିଲର ରହିଥିଲେ । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ କାଉନସିଲର ମାନେ ଖଣ୍ଡପଡ଼ା ଏନଏସିରେ ପହଞ୍ଚିଥିଲେ । ମାତ୍ର ନିର୍ବାଚନ ଅଧିକାରୀ ଅନୁପସ୍ଥିତ ଥିଲେ । ଜାଣିଶୁଣି ନିର୍ବାଚନ ଅଧିକାରୀଙ୍କୁ ଅନ୍ୟତ୍ର ପଠାଯାଇଥିବା ଅଭିଯୋଗ ହୋଇଛି । ଲିଖିତ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ଏନଏସି କାର୍ଯ୍ୟାଳୟ ଛାଡ଼ିବୁ ନାହିଁ ବୋଲି କାଉନସିଲରମାନେ ଜିଦ୍ ଧରି ଧାରଣାରେ ବସିଥିଲେ । ପରେ ଉପଜିଲ୍ଲାପାଳ ଆସି ବୁଝାଶୁଝା କରିବା ପରେ ଧାରଣା ହଟିଥିଲା ।