ଆସନ୍ତା ୨୫ ବର୍ଷରେ ଡ୍ରଗ-ରେଜିଷ୍ଟାଣ୍ଟ ସୁପରବଗ ନେବ ୪ କୋଟି ଜୀବନ

1 min read

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୨୫ ବର୍ଷରେ ଡ୍ରଗ-ରେଜିଷ୍ଟାଣ୍ଟ ସୁପରବଗ ନେବ ୪ କୋଟି ଲୋକଙ୍କ ଜୀବନ । ଏବଠାରୁ ଏଥିଲାଗି ସତର୍କ ରହିବା ଲାଗି ଆହ୍ବାନ ଦିଆଯାଇଛି । ଔଷଧ ପ୍ରତିରୋଧକ ସୁପରବଗ ଅର୍ଥାତ ବ୍ଯାକ୍ଟେରିଆର ବିଭିନ୍ନ ପ୍ରଜାତି, ଭାଇରସ, ଅନ୍ଯାନ୍ଯ ଜୀବାଣୁ କ୍ରମଶଃ ଆଣ୍ଟିବୋୟୋଟିକ ପ୍ରତିରୋଧକ ହେବାରେ ଲାଗିଛନ୍ତି । ଫଳରେ ସେମାନଙ୍କ ମୁକାବିଲା କରିବା କଷ୍ଟସାଧ୍ଯ ହେବ । ଏହି କାରଣରୁ ବିଶ୍ବ ସ୍ବାସ୍ଥ୍ୟ ସମସ୍ଯା ସୃଷ୍ଟି ହେବାର ଆଶଙ୍କା କରାଯାଉଛି । ସର୍ଭେରୁ ଜଣାଯାଇଛି ୧୯୯୦ରୁ ୨୦୨୧ ମଧ୍ଯରେ ସୁପରବଗ ତଥା ଆଣ୍ଟିମୋଇକ୍ରୋବିୟାଲ ରେଜିଷ୍ଟାନ୍ସ- ଏଏମଆରଙ୍କ ଯୋଗୁ ବିଶ୍ବରେ ପ୍ରତିବର୍ଷ ପ୍ରାଣ ହରାଇଛନ୍ତି ୧୦ ଲକ୍ଷରୁ ଅଧିକ ଲୋକ ।

ଲାନସେଟ ଜର୍ଣ୍ଣାଲର ଏହି ରିପୋର୍ଟ ବିଶ୍ବରେ ଚିନ୍ତାର କାରଣ ହୋଇଛି । ଗତ ତିନି ଦଶନ୍ଧିରେ ସୁପରବଗଙ୍କ ଯୋଗୁ ଯେତିକି ଲୋକଙ୍କ ମୃତ୍ଯୁ ଘଟିଛି ତାହାର ଅର୍ଦ୍ଧାଧିକ ହେଉଛନ୍ତି ୫ ବର୍ଷରୁ କମ୍ ବୟସର ଶିଶୁ । ପିଲାଙ୍କ ମଧ୍ଯରେ ସୁପରବଗ୍ ଦେଖାଗଲେ ସେମାନଙ୍କୁ ଚିକିତ୍ସା କରିବା ବି କଷ୍ଟସାଧ୍ଯ ହେଉଛି । ଗତ ତିନି ଦଶନ୍ଧିରେ ବି ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କ ମୃତ୍ଯୁ ସଂଖ୍ଯା ୮୦ ପ୍ରତିଶତରୁ ଅଧିକ ରହିଛି । ସୁପରବଗଙ୍କ ମୁକାବିଲା କ୍ଷେତ୍ରରେ ବୟସ୍କଙ୍କ ସାମର୍ଥ୍ଯ କମ୍ ହେତୁ ସେମାନଙ୍କ ମୃତ୍ଯୁହାର ବୃଦ୍ଧି ପାଉଛି । କେବଳ ୨୦୨୧ରେ ଆଣ୍ଟିବାୟୋଟିକ ପ୍ରତିରୋଧକ କ୍ଷମତା ହାସଲ କରିଥିବା ଷ୍ଟାଫ୍ ବ୍ଯାକ୍ଟେରିଆ ଏମଆରଏସଏ ଯୋଗୁ ପ୍ରାଣ ହରାଇଥିଲେ ୧ ଲକ୍ଷ ୩୦ ହଜାର ଲୋକ । ୨୦୫୦ ସୁଦ୍ଧା ଏଏମଆର ବ୍ଯାକ୍ଟେରିଆ କାରଣରୁ ମୃତ୍ଯୁ ସଂଖ୍ଯା ୬୭ ପ୍ରତିଶତ ବୃଦ୍ଧି ପାଇବ । ଅର୍ଥାତ ବିଶ୍ବରେ ଏଏମଆର ପ୍ରତିବର୍ଷ ୨୦ ଲକ୍ଷ ଲୋକଙ୍କ ଜୀବନ ନେବ ।

ପରେ ଏହି ହାର ବାର୍ଷିକ ୭୫ ପ୍ରତିଶତ ବୃଦ୍ଧି ପାଇବ ଯଦ୍ଦ୍ବାରା ବାର୍ଷିକ ୮୨ ଲକ୍ଷ ଲୋକଙ୍କ ଜୀବନ ନେବାର କାରଣ ହେବ । ଯଦି ଆଣ୍ଟିମାଇକ୍ରୋବିୟାଲ ଡ୍ରଗ୍ସର ବିକାଶ ହୁଏ ତେବେ ୨୦୫୦ ସୁଦ୍ଧା ୯ କୋଟି ୨୦ ଲକ୍ଷ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି ଲାନସେଟ କହିଛି । ୨୨ ପ୍ରକାର ବ୍ଯାକ୍ଟେରିଆ ଓ ଭୂତାଣୁ, ୮୪ ପ୍ରକାର ମିଶ୍ରିତ ଔଷଧ ଓ ୧୧ ପ୍ରକାର ସଂକ୍ରାମକ ଲକ୍ଷଣକୁ ନେଇ ଏହି ଗବେଷଣା କରାଯାଇଥିଲା । ୨୦୪ ଦେଶର ୫୨ କୋଟି ଲୋକଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା । ଆସନ୍ତା ୨୬ରେ ଏଏମଆର ମୁକାବିଲା ଲାଗି ହେବାକୁ ଯାଉଥିବା ଜାତିସଂଘ ବୈଠକ ପୂର୍ବରୁ ଏହି ରିପୋର୍ଟ ପ୍ରକାଶ ପାଇଛି । କେବଳ ମଣିଷ କ୍ଷେତ୍ରରେ ନୁହେଁ ଜୀବଜନ୍ତୁ ଓ ବୃକ୍ଷ କ୍ଷେତ୍ରରେ ବି ଏହି ସମସ୍ଯା ଦେଖାଯାଉଛି ।