ଫୁଲୁଛି ସୁବର୍ଣ୍ଣରେଖା, ବାଲେଶ୍ବରରେ ଲୋକଙ୍କ ମଧ୍ଯରେ ଛନକା

ବାଲେଶ୍ବର: ଫୁଲୁଛି ନଦୀ ବଢୁଛି ବନ୍ଯା ଆଶଙ୍କା । ବାଲେଶ୍ବରରେ ଲୋକଙ୍କ ମଧ୍ଯରେ ଛନକା ଭରିଛି ସୁବର୍ଣ୍ଣରେଖା । ଧୀରେଧୀରେ ନଦୀର ଜଳସ୍ତର ବଢୁଥିବାବେଳେ ଗାଁରେ ପଶୁଛି ବନ୍ଯାପାଣି । ବାଲିଆପାଳ ଓ ଭୋଗରାଇ ବ୍ଲକରେ ଉପୁଜିଛି ବନ୍ଯା ସ୍ଥିତି । ରାଜଘାଟଠାରେ ବିପଦ ସଂକେତ ୧୦.୩୬ ମିଟର ଥିବା ବେଳେ ଏବେ ଜଳସ୍ତର ୧୦.୨୦ ମିଟରରେ ପହଞ୍ଚିଛି । ପ୍ରତି ୩ ଘଣ୍ଟାରେ ଜଳସ୍ତର ୦.୦୧ ମିଟର ବୃଦ୍ଧି ପାଉଛି । ପାଣି ବଢୁଥିବାରୁ ଲୋକଙ୍କ ମଧ୍ଯରେ ଛନକା ପଶିଛି ।

ବାଲିଆପାଳ ବ୍ଳକର ୮ଟି ଓ ଭୋଗରାଇ ବ୍ଳକର ୧୫ରୁ ଅଧିକ ଗାଁ ପାଣି ଘରରେ ରହିଛି । ଭୋଗରାଇ ବ୍ଳକ କୁଶୁଡା, ଗବଗାଁ, ଚିରକୁଲା ଗାଁରେ ପାଣି ପଶିବାରୁ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଗାଁ ଦାଣ୍ଡରେ ୬ ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ ଲୋକମାନେ ଡଙ୍ଗାରେ ଯିବାଆସିବା କରୁଥିବା ଦେଖିବାକୁ ମିଳିଛି । ବିଷ୍ଣୁପୁର ଚଟାଣରେ ୨ ଫୁଟ ଉପରେ ପାଣି ପ୍ରବାହିତ ହେଉଥିବା ବେଳେ ଚୌଧୁରୀକୁଦ ରାସ୍ତା ଉପରେ ଆଣ୍ଠୁଏ ବନ୍ଯାପାଣି ରହିଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଲଗାଣ ବର୍ଷା ପ୍ରଭାବରେ ଜାମକୁଣ୍ଡା କୋଷ୍ଟ କେନାଲ ସ୍ଲୁଇସ ଗେଟ୍ ପୋଲ ଭୁଶୁଡ଼ି ପଡ଼ିଛି । ମକୁଣ୍ଡା ଗାଁ କୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏପଟେ ବସ୍ତା ମଥାନୀଠାରେ ବିପଦ ସଂକେତ ଉପରେ ବହୁଛି ଜଳକା ।