ଆଜି ଓଡ଼ିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ବର:  ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନ୍ମଦିନରେ ଓଡ଼ିଶା ଆସି ହିତାଧିକାରୀଙ୍କ ଖାତାକୁ ଡ଼ିବିଟି ମାଧ୍ୟମରେ ସହାୟତା ରାଶି ବଣ୍ଟନ ଆରମ୍ଭ କରିବେ । ପୂର୍ବାହ୍ନ ୧୧ଟାରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ଓହ୍ଲାଇବା ପରେ ବିଶାଳ କାରକେଡ଼ରେ ସିଧା ଗାଡ଼କଣ ଅଭିମୁଖେ ଯାତ୍ରା କରିବେ। ସେଠାରେ ଆବାସ ଯୋଜନାର ୨୦ ହିତାଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରିବେ । ଗାଡ଼କଣରୁ ଜନତା ମଇଦାନ ଅଭିମୁଖେ ବାହାରି ପ୍ରଧାନମନ୍ତ୍ରୀ ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ। ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହିତ ହିତାଧିକାରୀଙ୍କ ଖାତାକୁ ଡ଼ିବିଟି ମାଧ୍ୟମରେ ସହାୟତା ରାଶି ବଣ୍ଟନ ଆରମ୍ଭ କରିବେ ।

ସୁଭଦ୍ରା ଯୋଜନାରେ ସରକାର ବର୍ଷକୁ ଦୁଇଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏ ମୋଟ ୫ ବର୍ଷରେ ୫୦ ହଜାର ଟଙ୍କା ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ସଜେଇ ହୋଇଛି ଜନତା ମଇଦାନ । ପ୍ରାୟ ୪୦ହଜାର ଲୋକଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯାଇଛି । ଏହା ସହିତ କଳିଙ୍ଗ ଷ୍ଟାଡ଼ିୟମରେ ନବ ନିର୍ମିତ ବ୍ୟାଡ଼ମିଣ୍ଟନ ହାଇ ପରଫର୍ମାନ୍ସ ସେଣ୍ଟର ମଧ୍ୟ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ସହରରେ ୮୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ। ବିମାନବନ୍ଦର, ଜନତା ମଇଦାନ ଓ ଗାଡ଼କଣ କାର୍ଯ୍ୟକ୍ରମ ପାଇଁ ୩ ଆଇଜିଙ୍କୁ ଦାୟିତ୍ବ ଦିଆଯାଇଛି । ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାକୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି ।