ଭାରତ-ବାଂଲାଦେଶ ସମ୍ପର୍କରେ ପଡିପାରେ ଭଟ୍ଟା, ଭାରତ ପ୍ରତି ବଢିପାରେ ଆତଙ୍କବାଦୀ ବିପଦ

1 min read

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶରେ ଶାସନ ପରିବର୍ତ୍ତନ ପରେ ଭାରତ-ବାଂଲାଦେଶ ସମ୍ପର୍କରେ ପଡିପାରେ ଭଟ୍ଟା । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଗାଦିଚ୍ଯୁତ ହେବା ପରେ ଭାରତ ପ୍ରତି ବଢିପାରେ ଆତଙ୍କବାଦୀ ବିପଦ । ଭାରତ ସହ ବନ୍ଧୁ ଭାବେ ଜଣାଶୁଣା ହସିନା ଆତଙ୍କବାଦୀଙ୍କୁ ଦମନ କରିବା ସହ ବହୁ ବିବାଦର ସମାଧାନ କରୁଥିଲେ । ସେପଟେ ଅନ୍ତରୀଣ ସରକାରର ମୁଖ୍ଯ ମହମ୍ମଦ ୟୁନୁସଙ୍କ ଭୂମିକା ବି ସନ୍ଦେହ ଘେରରେ ରହିଛି । ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ଦିଲ୍ଲୀରେ ଥିବା ସମୟରେ କୌଣସି ରାଜନୈତିକ ମନ୍ତବ୍ଯ ଦେବାରୁ ଭାରତ ହସିନାଙ୍କୁ କ୍ଷାନ୍ତ କରୁ । ସେପଟେ ଆନ୍ଦୋଳନ ବେଳେ ଘଟିଥିବା ହତ୍ଯା ଘଟଣାର ବିଚାର ଲାଗି ହସିନାଙ୍କୁ ଫେରାଇ ଅଣାଯାଉ ବୋଲି ଦାବି ଉଠିବାରେ ଲାଗିଛି । ଅନ୍ୟପଟେ ଭାରତ ସହ ସମ୍ପର୍କିତ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ମୁକୁଳା ଯାଉଥିବାରୁ ଭାରତ ପକ୍ଷରୁ ଉଦବେଗ ପ୍ରକାଶ କରାଯାଉଛି । ତେବେ ଆଫଗାନିସ୍ତାନର ତାଲିବାନ ଶାସନ ପରି ବାଂଲାଦେଶରେ ଚାଲିଲାଣି ତାଲିବାନୀ ଶାସନ । ଅନ୍ତରୀଣ ଶାସକ ମହମ୍ମଦ ୟୁନୁସଙ୍କ ଧର୍ମନିରପେକ୍ଷ ନୀତିକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଏପରିକି ଦୁର୍ଗାପୂଜା ବେଳେ ଅନେକ କଟକଣା ଜାରି କରିଛନ୍ତି ଅନ୍ତରୀଣ ସରକାର । ଆଜାନର ପାଞ୍ଚ ମିନଟ ପୂର୍ବରୁ ଓ ନମାଜ ସମୟରେ ନାଚଗୀତ, ସଂଗୀତ ବାଦନ ଆଦି ନକରିବା ଲାଗି ପରାମର୍ଶ ଦେଇଛନ୍ତି ୟୁନୁସ । ବାଂଲାଦେଶରେ ଆସନ୍ତା ଅକ୍ଟୋବର ୯ରୁ ୧୩ ଯାଏ ଦୁର୍ଗାପୂଜା ଅନୁଷ୍ଠିତ ହେବ ଏବଂ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ପେଣ୍ଡାଲ ନିର୍ମିତ ହେବ । ଗତବର୍ଷ ଦେଶରେ ୩୩ ହଜାର ୪୩୧ଟି ପୂଜା ମଣ୍ଡପ ପ୍ରତିଷ୍ଠା ହୋଇଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ଯା ଅଧିକ ହେବ ବୋଲି କୁହାଯାଇଛି ।