ସ୍ଵାସ୍ଥ୍ଯ ବ୍ଯବସ୍ଥାର ଦୟନୀୟ ସ୍ଥିତି, ନାହିଁ ନାହିଁରେ ଚାଲିଛି ବିଞ୍ଝାରପୁର ଗୋଷ୍ଠୀ ସ୍ଵାସ୍ଥ୍ଯକେନ୍ଦ୍ର

ଯାଜପୁର: ସ୍ଵାସ୍ଥ୍ଯ ବ୍ଯବସ୍ଥାର ବିକଳ ଚିତ୍ର । ନାହିଁ ନାହିଁରେ ଚାଲିଛି ଗୋଷ୍ଠୀ ସ୍ଵାସ୍ଥ୍ଯକେନ୍ଦ୍ର। ଖାଲି ପଡିଛି ୭୦ ପ୍ରତିଶତରୁ ଅଧିକ ପଦବୀ । ଜରୁରୀକାଳୀନ ସେବାରୁ ବଞ୍ଚିତ ହେଉଛନ୍ତି ରୋଗୀ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ଯ | ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ବିଞ୍ଝାରପୁରର ୨୯ଟି ପଞ୍ଚାୟତ ସମେତ କେନ୍ଦ୍ରାପଡ଼ା ଓ ବରୀ ଅଂଚଳର ପାଖାପାଖି ଦୁଇ ଲକ୍ଷରୁ ଅଧିକ ଲୋକ ନିର୍ଭର କରନ୍ତି । ହେଲେ ବର୍ତ୍ତମାନ ଏହା ରେଫରାଲ ସ୍ଵାସ୍ଥ୍ଯକେନ୍ଦ୍ର ପାଲଟିଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ରୋଗୀଟି ଯେକୌଣସି ସାଧାରଣ ରୋଗ ପାଇଁ ଆସିଲେ ବି ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ଚିକିତ୍ସାଳୟକୁ ରେଫର କରିଦିଆ ଯାଉଛି । ଏ ସମସ୍ୟା କେବଳ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୁହେଁ ଏହା ଅଧୀନରେ ଥିବା ଆଠୋଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ବି ସମାନ ଅବସ୍ଥା । ଏଠାରେ ଭିତ୍ତିଭୂମିର ଅଭାବ ଥିବାରୁ ନୂତନ ଗୃହ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ ।

ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ପଡିଛି ବହୁ ସଂଖ୍ୟାରେ ପଦବୀ । ସରକାରୀ ନିୟମ ଅନୁଯାୟୀ ସବୁ ବିଭାଗକୁ ମିଶାଇ ମୋଟ ୩୮ ଜଣ ଅଧିକାରୀଙ୍କ ସମତେ କର୍ମଚାରୀ ରହିବା କଥା। କିନ୍ତୁ ଏଠାରେ ଅଛନ୍ତି ମାତ୍ର ୧୦ ଜଣ। ଏଠାରେ ଦୀର୍ଘ ଦିନ ହେବ ନିରୀକ୍ଷକଙ୍କ ପଦବୀ ଖାଲି ପଡ଼ିଥିବା ବେଳେ ଅନ୍ୟ ବିଭାଗ କଥା ନକହିବା ଭଲ ପେଡିଆଟିକ ବିଭାଗ, ମେଡିସିନ ବିଭାଗ, ଅସ୍ତିଶଲ୍ୟ ବିଭାଗ, ଫାର୍ମାସିଷ୍ଟ ନର୍ସିଙ୍ଗ କର୍ମଚାରୀଠୁ ଆଟେଣ୍ଡାଟ ପର୍ଯ୍ୟନ୍ତ ସମସ୍ତ ବିଭାଗରେ ଅଧିକାଂଶ ପଦବୀ ଖାଲି ପଡିଛି । କେବଳ କର୍ମଚାରୀଙ୍କ ଅଭାବ ନୁହେଁ ପରିମଳ ଠାରୁ ଆରମ୍ଭ କରି ପିଇବା ପାଣିର ବି ସୁବିଧା ନାହିଁ । ଯେଉଁଗୁଡିକ ଅଛି ସେଗୁଡିକ କାର୍ଯ୍ଯକ୍ଷମ ହେଉନଥିବାରୁ ରୋଗୀ ହନ୍ତସନ୍ତ ହେଉଛନ୍ତି । ଅନ୍ଯପଟେ ବିଞ୍ଝାରପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ଥିବା ଡାକ୍ତର କ୍ଷିତୀଶ କୁମାର ନାୟକ ମଧ୍ୟ୍ୟ ଏଭଳି ଅବ୍ୟବସ୍ଥା କଥା ସ୍ୱୀକାର କରିଛନ୍ତି । ମେଡିକାଲର ସମସ୍ଯା ସଂପର୍କରେ ଅନେକଥର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ଯ ସମସ୍ଯାର ସମାଧାର ହୋଇପାରୁନଥିବା ନେଇ ସେ କହିଛନ୍ତି । ଲୋକମାନଙ୍କ ସ୍ୱାର୍ଥଙ୍କୁ ଦୃଷ୍ଟିରେ ରଖି ଯଥାଶୀଘ୍ର ଏ ସବୁ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।