ଅନଲାଇନ ହୋଟେଲ ବୁକିଂ, ଠକେଇରେ ଲାଗିବ ବ୍ରେକ୍

ନନ୍ଦିଘୋଷ ବ୍ୟୁରୋ: ପୁରୀରେ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହାକୁ ନଜରରେ ରଖି ସ୍ୱତନ୍ତ୍ର ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଆଗକୁ ପାର୍ବଣ ଋତୁ ସହ ଶୀତ ଦିନକୁ ନଜରରେ ରଖି ଛୁଟି କାଟିବା ପାଇଁ ପୁରୀରେ ଭିଡ଼ ଜମିବ। ତେବେ ଅନଲାଇନ ବୁକିଙ୍ଗରେ ଠକେଇ ତଥା ପର୍ଯ୍ୟଟକଙ୍କୁ ଉନ୍ନତ ମାନର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ସାଧାରଣରେ ଦାବି ହୋଇଥିବା ବେଳେ ଏହା ଉପରେ ଜିଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଆସିଛି ପାର୍ବଣ ଋତୁ । ଶ୍ରୀକ୍ଷେତ୍ରରେ ଜମିବ ପର୍ଯ୍ଯଟକଙ୍କ ଭିଡ଼ । ଛୁଟି କାଟିବାକୁ ଆସିବେ ରାଜ୍ଯ ତଥା ରାଜ୍ଯ ବାହାର ଶ୍ରଦ୍ଧାଳୁ । ଏବେଠାରୁ ପୁରୀର ସମସ୍ତ ହୋଟେଲ ଗୁଡ଼ିକରେ ବୁକିଂ ଆରମ୍ଭ ହୋଇଗଲାଣି । ବିଗତ କିଛି ବର୍ଷ ମଧ୍ୟରେ ଏଠାରେ ଅହେତୁକ ସଂଖ୍ୟାରେ ପର୍ଯ୍ୟଟକ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କ ଆଗମନକୁ ନଜରରେ ରଖି ବେଳାଭୂମିରେ ସ୍ୱତନ୍ତ୍ର ସୁବିଧା କରାଯିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି । ଅନଲାଇନ ବୁକିଂବେଳେ ଅନେକ ସମୟରେ ଠକେଇର ଶିକାର ହେଉଛନ୍ତି ପର୍ଯ୍ଯଟକ । ତେଣୁ ଏହି ସମସ୍ଯାର ସମାଧାନ ସହ ସ୍ବତନ୍ତ୍ର ବ୍ଯବସ୍ଥା କରିବାକୁ ବୁଦ୍ଧିଜୀବୀ ଓ ପର୍ଯ୍ଯଟକ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ।

ଲଗାତର ପର୍ଯ୍ଯଟକଙ୍କ ଭିଡ଼ ଯୋଗୁଁ ପୁରୀରେ ହୋଟେଲ ଶିଳ୍ପ ବୃଦ୍ଧି ପାଇବାରେ ଲାଗିଛି । ପର୍ଯ୍ୟଟକ ମାନଙ୍କର ସୁବିଧା ନେଇ ପୁରୀରେ ହୋଟେଲ ସଙ୍ଘ ଓ ଟୁର ଅପରେଟର ମାନେ ଯଥା ସମ୍ଭବ ପ୍ରଚେଷ୍ଟା କରି ଆସୁଛନ୍ତି । ତେଣୁ ଏଥର ପୂଜା ଋତୁରେ ପର୍ଯ୍ଯଟକଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ପର୍ଯ୍ୟଟକଙ୍କୁ ଉନ୍ନତ ସେବା ଯୋଗାଇ ଦେବାକୁ ହୋଟେଲ ମାଲିକଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ । ଚଳିତ ବର୍ଷ ବେଳାଭୂମି, ଶ୍ରୀମନ୍ଦିର ଦର୍ଶନ ଓ ସାତପଡ଼ା ପର୍ଯ୍ଯଟନ କ୍ଷେତ୍ରରେ ସ୍ବତନ୍ତ୍ର ବ୍ଯବସ୍ଥା କରିବାକୁ ପ୍ରଶାସନ ଲକ୍ଷ୍ଯ ରଖିଛି ।