ଘର ଭଡ଼ା ଯୋଗାଇ ଦେବା ନାଁରେ ରାଜଧାନୀରେ ମାତିଛନ୍ତି ଦଲାଲ: ଟଙ୍କା ଠକିବା ପରେ କରୁଛନ୍ତି ପ୍ରେମ ନିବେଦନ

1 min read

ଭୁବନେଶ୍ବର: ରାଜଧାନୀରେ ଭଡ଼ାରେ ଘର ଖୋଜୁଥିଲେ ସାବଧାନ । କାରଣ, ଭଡ଼ା ଘର ଯୋଗାଇ ଦେବା ନାଁରେ ଲୁଟୁଛନ୍ତି ଦଲାଲ । ଘର ଭଡା ଲଗାଇବାକୁ ଏଣେଣ୍ଟ ଭାବେ କାମ କରୁଥିବା ଏହି ଠକମାନେ କେବଳ ଲୋକଙ୍କୁ ଲୁଟୁ ନାହାନ୍ତି । ସୁନ୍ଦରୀ ଯୁବତୀ ଦେଖିଲେ ପ୍ରେମ ନିବେଦନ ବି ପଠାଉଛନ୍ତି । କିଏ ଘର ଦେଖାଇବା ବାହାନାରେ ଟଙ୍କା ଠକି ନେଉଛି ତ ଆଉ କିଏ ଘର ଦେଖାଇବା ପରେ ଠକି ନେଉଛନ୍ତି । ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ଜଣେ ଯୁବତୀ ।

ଟଙ୍କା ନେଇ ଛୁ ମାରିବା ପରେ ଦଲାଲ କରୁଛି ପ୍ରେମ ନିବେଦନ । ବାରମ୍ବାର କଲ କରି ଫୋନକୁ ପଠାଉଛି ଅଶ୍ଳୀଳ ମେସେଜ । ଘରଭଡା ଦେବା ନାଁରେ ବଢୁଛି ଦଲାଲଙ୍କ ଦୌରାତ୍ମ୍ୟ । ଭୁବନେଶ୍ବରରେ ନାହିଁ ଭଡା ଘର ପାଇଁ କୌଣସି ନିୟମ । ଫଳରେ ଏହାର ସୁଯୋଗ ନେଇ ମାତିଛନ୍ତି ଦଲାଲ । ଘରଭଡ଼ା ଠକେଇ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ଏବେ ଠକେଇର ଶିକାର ହୋଇଥିବା ଜଣେ ଉଚ୍ଚଶିକ୍ଷିତା ଯୁବତୀ ମୁଁହ ଖୋଲିଛନ୍ତି । ଠକେଇର ଶିକାର ହେବା ପରେ ଓଲଟା ଯୁବତୀ ଜଣଙ୍କୁ ପ୍ରେମ ନିବେଦନ କରୁଛି ଦଲାଲ ଜଣକ ।

ଗତ ଦୁଇ ଦିନ ତଳେ ମଧ୍ୟ ସମାନ ଢଙ୍ଗରେ ମୈତ୍ରୀବିହାର ଥାନାରେ ଅଭିଯୋଗ ହୋଇଥିଲା । ନିଜକୁ ଘର ମାଲିକ କହି ଉତ୍କଳ ହସ୍ପିଟାଲ ରୋଡରେ ଓଁ ଗାର୍ଡେନରେ ଥିବା ଏକ ଘରର ଫଟୋ ଓ ଭିଡିଓ olx ସାଇଟରେ ପକାଇ ଲକ୍ଷାଧିକ ଟଙ୍କା ଠକି ନେଇଥିଲା ଠକ । ଝାଡ଼ଖଣ୍ଡରୁ ଆସି ଭୁବନେଶ୍ୱରରେ ରହୁଥିବା ଜଣେ ମହିଳା ଓ ଆଉ ଜଣେ ସଫ୍ଟୱେର ଇଞ୍ଜିନିୟର ହୋଇଥିଲେ ଠକେଇର ଶିକାର । ଏବେ ଠକକୁ ଧରିବା ପାଇଁ ଛାନଭିନ ଆରମ୍ଭ କରିଛି ପୋଲିସ । ତେବେ ଘର ଦେଖିବାକୁ ଯିବାବେଳେ ଅନ୍ତତଃ ପକ୍ଷେ ମାଲିକଙ୍କ ପରିଚୟ ଓ ସବିଶେଷ ତଥ୍ୟ ରଖିବାକୁ ସମସ୍ତଙ୍କୂ ପରାମର୍ଶ ଦେଇଛନ୍ତି ଠକେଇର ଶିକାର ଯୁବତୀ ।

ସହର ବଢିବା ସହ ରାଜଧାନୀରେ ରହିବାକୁ ଅଧିକାଂଶ ଆଗ୍ରହ ପ୍ରକାଶ କରୁଥିବା ବେଳେ ଏହାର ଫାଇଦା ନେଉଛନ୍ତି ଦଲାଲ । ଘର ଦେଖାଇବା ଆଳରେ ଟଙ୍କା ନେଇ ଫେରାର ହୋଇଯାଉଛନ୍ତି ।