ନିମ୍ନମାନର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା, ପାଦେ ପାଦେ ବିପଦ

ନବରଙ୍ଗପୁର: ନାଁକୁ କେବଳ ପିଚୁ ରାସ୍ତା । ନିମ୍ନମାନର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ପାଇଁ ହନ୍ତସନ୍ତ ଲୋକେ । ନିର୍ମାଣର ବର୍ଷକ ଭିତରେ ରାସ୍ତା ପାଲଟିଲା ମରଣଯନ୍ତା । ଗାଁକୁ ଗାଁ ଯୋଡିବାର ଓ ଗାଁଠୁ ସହରକୁ ନିକଟତର କରିବା ଉଦ୍ଦେଶ୍ଯରେ ରାସ୍ତା ତିଆରି ହୋଇଥିଲା । ହେଲେ ଏବେ ରାସ୍ତା ସାରା କାଦୁଅ ଓ ଖାଲ । ଯିବା ଆସିବା କରିବାକୁ ସମସ୍ଯା ହେଉଥିବା ବେଳେ ଘଟୁଛି ଦୁର୍ଘଟଣା । ଏ ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଖୁଣ୍ଟିଆ ଛକରୁ ଡେଙ୍ଗାତୁଟାଗୁଡା ୫ କିମି ରାସ୍ତାର ।

ପାଦେ ପାଦେ ବିପଦ । ଡାହାଣ ପଟେ ଯିବ ନା ବାମ ପଟେ ଯିବ ସେ ନେଇ ଦ୍ବନ୍ଦ୍ବ । କାରଣ ଯୁଆଡେ ଦେଖିବ ରାସ୍ତାରେ ଖାଲ ଆଉ ଖାଲ । କାଦୁଅ ପଚପଚ ରାସ୍ତାରେ ଯିବା ଆସିବା କରିବା ଦ୍ବାରା ଘଟୁଛି ଦୁର୍ଘଟଣା । ନିର୍ମାଣର ବର୍ଷକ ଭିତରେ ରାସ୍ତା ପାଲଟିଲା ମରଣଯନ୍ତା । ନିମ୍ନମାନର କାମ ଯୋଗୁଁ ଏଭଳି ଅବସ୍ଥା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ୨. ୩ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୨୩ ମସିହାରେ ନିର୍ମାଣ ହୋଇଥିଲା ରାସ୍ତା । ହେଲେ ଏବେ ପାଲଟିଛି ମରଣଯନ୍ତା ।

ଠିକାଦାର ଓ ବିଭାଗୀୟ କର୍ତ୍ତୃପକ୍ଷ ସଲାସୁତରାରେ କାମ ନିମ୍ନମାନର କରାଯାଇ ଅଭିଯୋଗ କରିବା ସହ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅଭିଯୋଗର ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ପ୍ରତିଶ୍ରୁତି ଦେଇଛନ୍ତି । ଅପରପକ୍ଷରେ ରାସ୍ତାର କାମ ନେଇ ବିଭାଗୀୟ କର୍ତ୍ତୃପକ୍ଷ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ । ବିଭାଗୀୟ ଅଧିକାରୀଙ୍କ କହିବା କଥା ସେହି ରାସ୍ତା ଦେଇ ଆବଶ୍ୟକତାଠାରୁ ଅଧିକ ଓଜନର  ଗାଡି ଚଳାଚଳ କରିବାରୁ ଏଭଳି ଅବସ୍ଥା ହୋଇଛି ।