ଯୋଜନା ନାଁରେ ଗ୍ରାମାଞ୍ଚଳ ଲୋକଙ୍କୁ ଡିଜିଟାଲ ଯନ୍ତ୍ରଣାରେ ପକାଉଛନ୍ତି ସରକାର !

1 min read

ଭୁବନେଶ୍ବର: ରାସନ କାର୍ଡ଼ କାର୍ଯ୍ୟକ୍ଷମ ପାଇଁ ଟିପ ଚିହ୍ନ ହେଉ କି ସୁଭଦ୍ରା ଯୋଜନା ପାଇଁ ଆଧାର ଅପଡେଟ । ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଏହା ଏବେ ପାଲଟିଛି ଡିଜିଟାଲ ଯନ୍ତ୍ରଣା । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଛି ଲୋକଙ୍କ ଯନ୍ତ୍ରଣାର ଚିତ୍ର । ୧୫ରୁ ୧୮ ଘଣ୍ଟା ଲାଇନରେ ଛିଡ଼ା ହେବା ପରେ ବି ମିଳୁନି ସେବା । ଲମ୍ବା ଲାଇନକୁ ନେଇ ଗଣ୍ଡଗୋଳ, ମାରପିଟ, ରାସ୍ତାରୋକ ଯାଏଁ କଥା ଗଲାଣି, ତଥାପି ସୁଧୁରୁନି ସମସ୍ୟା । ଭିତ୍ତିଭୂମି ଅଭାବ ଏ ସବୁର କାରଣ । ଇଣ୍ଟରନେଟ ଭଳି ଭିତ୍ତିଭୂମି ନ ସଜାଡ଼ି ଲୋକଙ୍କ ଉପରେ ଗୋଟିଏ ପରେ ଗୋଟିଏ କଟକଣା ସରକାର ଲଦି ଦେବା ଯୋଗୁଁ ସମସ୍ୟା ବଢି ଚାଲିଛି । ଏହାକୁ ନେଇ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ, ଭିତ୍ତିଭୂମି ବଢ଼ାଇବା ଉପରେ ଗୁରୁତ୍ବ ଦେଇଛନ୍ତି ଏକ୍ସପର୍ଟ ।

ସୁଭଦ୍ରା ଯୋଜନାରେ ଆଧାର ଅପଡେଟ ପାଇଁ ରାସ୍ତାରୋକ । ରାସନ କାର୍ଡ ଅପଡେଟ ପାଇଁ ଘର ମୁହାଁ ଦାଦନ ଶ୍ରମିକ । ୮୦ ବର୍ଷର ବୃଦ୍ଧ-ବୃଦ୍ଧା ଡିଲରଙ୍କ ପାଖକୁ ବୁହା ହେଉଛନ୍ତି ଟ୍ରଲିରେ । କିଛିଦିନ ହେବ ଏଭଳି ଖବର ରାଜ୍ୟର ବିଭିନ୍ନ ଆଡୁ ଆସୁଥିଲେ ବି ସମାଧାନର ବାଟ ନାହିଁ । ଗ୍ରାମାଞ୍ଚଳରେ ଉତ୍କଟ ସ୍ଥିତିରେ ପହଞ୍ଚିଲାଣି ଏଭଳି ସମସ୍ୟା । ଭିତ୍ତିଭୂମିର ଅଭାବ ଏହାର ମୁଖ୍ୟ କାରଣ । ଇଣ୍ଟରନେଟ ଟାଓ୍ବାର ନଥିବାରୁ ସର୍ଭର ପ୍ରାୟ ସମୟରେ ଡାଉନ୍ ରହୁଛି । ଏହାସହ ପାଓ୍ବାର କଟ୍ ସମସ୍ୟାକୁ ଦ୍ବିଗୁଣିତ କରିଛି । ସୁଭଦ୍ରା ଯୋଜନାରେ ଆବେଦନ କରିବାକୁ ହେଲେ ଆଧାର ଅପଡେଟ କରିବା ବାଧ୍ୟତାମୂଳକ । ଯୋଜନାର ଲାଭ ଉଠାଇବା ପାଇଁ ଆଧାର ଅପଡେଟ କରିବାକୁ ଜନସେବା କେନ୍ଦ୍ରରେ ନାହିଁ ନଥିବା ଭିଡ଼ ରହୁଛି । କେଉଁଠି ରାତିସାରା ଅନିଦ୍ରା ହୋଇ ଲାଇନରେ ଛିଡ଼ା ହେବାକୁ ପଡ଼ୁଛି ତ ପୁଣି କେଉଁଠି ଅଖିଆ ଅପିଆ ଦିନ ସାରା ଛିଡ଼ା ହୋଇ ଲୋକେ ମୂର୍ଚ୍ଚା ଯାଉଛନ୍ତି । ସରକାର ରାସନ କାର୍ଡ ଓ ସୁଭଦ୍ରା ଯୋଜନାର ସର୍ତ୍ତ ପୂରଣ କରିବା ପୂର୍ବରୁ ଭିତ୍ତିଭୂମି ସଜାଡ଼ି ନଥିବାରୁ ଏଭଳି ସମସ୍ୟା ଉପୁଜୁଛି । ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ।

ରାଜ୍ୟର ପ୍ରାୟ ୫ ହଜାର ଗାଁରେ ନାହିଁ ମୋବାଇଲ ନେଟଓ୍ବର୍କ । ୮ ହଜାରରୁ ଅଧିକ ଗାଁରେ ସୀମିତ ରହିଛି ଇଣ୍ଟରନେଟ ନେଟଓ୍ବର୍କ । ଅଧିକାଂଶ ଗାଁରେ ଏବେ ବି ରହିଛି ବିଜୁଳି ସମସ୍ୟା । ନକ୍ସଲ ପ୍ରଭାବିତ ଅଞ୍ଚଳରେ ଏଭଳି ସମସ୍ୟା ଅଧିକ । ଦୂରଦୁରାନ୍ତ ଗାଁରେ ବିଜୁଳି ଥିଲେ ବି ଇଣ୍ଟରନେଟ ନଥିବାରୁ କିଛି କାମ ହୋଇପାରୁନାହିଁ । ହେଲେ ଏବେ ରାସନ କାର୍ଡରେ ହିତାଧିକାରୀଙ୍କ ତଥ୍ୟ ଅପଡେଟ ପାଇଁ ଟିପ ଚିହ୍ନକୁ ବାଧ୍ୟତାମୂଳକ କରାଯାଇଛି । ପୁଣି ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଆଧାର ଅପଡେଟ ବାଧ୍ୟତାମୂଳକ । ଏସବୁ କାମ ବିନା ଇଣ୍ଟରନେଟରେ ଅସମ୍ଭବ । ଜନସେବା କେନ୍ଦ୍ରରେ ଭିଡ଼ ଅସମ୍ଭାଳ ହେଉଥିବା ବେଳେ ଭିତ୍ତିଭୂମି ଅଭାବ ସମସ୍ୟା ଦ୍ବିଗୁଣିତ କରିଛି । ଯୋଜନାର ସର୍ତ୍ତ ପୂରଣ ପାଇଁ ନିଷ୍ପତ୍ତି ପୂର୍ବରୁ ଭିତ୍ତିଭୂମି ସଜାଡ଼ିବା ଜରୁରୀ ଥିଲା ବୋଲି ମତ ଦେଇଛନ୍ତି ସମୀକ୍ଷକ ।

ଡିଜିଟାଲ ଯନ୍ତ୍ରଣା ଭୋଗୁଛନ୍ତି ଗ୍ରାମାଞ୍ଚଳ ଲୋକେ । ଡିଜିଟାଲ ଡିଭାଇଡ୍ ଏତେ ମାତ୍ରାରେ ଅଧିକ ଯେ, ସୁଭଦ୍ରା ଯୋଜନା ଓ ରାସନକାର୍ଡ଼ ଅପଡେଟ ପାଇଁ ଗାଁ ଗହଳିର ଲୋକଙ୍କୁ ହିନସ୍ତା ହେବାକୁ ପଡୁଛି । ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେଲେ ସବୁ ଜାଗାରେ ଉନ୍ନତ ଭିତ୍ତିଭୂମି ଥିବା ଜରୁରୀ ହୋଇପଡ଼ିଛି ।