କାମରେ ଆସୁନି ପଥପ୍ରାନ୍ତ ସେବା କେନ୍ଦ୍ର; ଆଉ ଆସୁନାହାନ୍ତି ପର୍ଯ୍ୟଟକ କିମ୍ବା ପଥଚାରୀ

କନ୍ଧମାଳ: କାମରେ ଆସୁନି ପଥପ୍ରାନ୍ତ ସେବା କେନ୍ଦ୍ର। ଆଉ ଆସୁନାହାନ୍ତି ପର୍ଯ୍ୟଟକ କିମ୍ବା ପଥଚାରୀ। ପଥପ୍ରାନ୍ତ କେନ୍ଦ୍ର ପରିସର ପାଲଟିଲାଣି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ। କର୍ମଚାରୀ ପାଉନାହାନ୍ତି ଦରମା। ଏଭଳି ଅଭିଯୋଗ ଆସିଛି କନ୍ଧମାଳ କଳିଙ୍ଗା ପଥପ୍ରାନ୍ତ ବିଶ୍ରାମ ଗୃହ ସେବା କେନ୍ଦ୍ରରୁ। ଗତ ୬ ବର୍ଷ ହେବ ତତ୍କାଳୀନ ସରକାର ଜିଲ୍ଲାକୁ ଆସୁଥିବା ପର୍ଯ୍ୟଟକ ଓ ପଥଚାରୀଙ୍କ ସୁବିଧା ପାଇଁ ନିର୍ମାଣ କରିଥିଲେ ପଥପ୍ରାନ୍ତ ସେବା କେନ୍ଦ୍ର। ଏଠାରେ ଶୌଚାଳୟ, ଗାଧୁଆ ଘର ଏବଂ କ୍ୟାଣ୍ଟିନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଲୋକଙ୍କୁ ସେବା ଯୋଗାଇବା ପାଇଁ ଏଠାରେ ୬ ଜଣ କର୍ମଚାରୀ ମଧ୍ୟ ନିୟୋଜିତ ହୋଇଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଏଠାକୁ ଆଉ ଆସୁନାହାନ୍ତି ପର୍ଯ୍ୟଟକ କିମ୍ବା ପଥଚାରୀ।

ସରକାର ବଦଳିବା ପରେ କର୍ମଚାରୀଙ୍କୁ ଦରମା ମିଳୁନଥିବା ବେଳେ ଭବିଷ୍ୟତକୁ ନେଇ ଏବେ ଚିନ୍ତାରେ କର୍ମଚାରୀ । ସେବାକେନ୍ଦ୍ରର ରକ୍ଷଣାବେକ୍ଷଣ ପ୍ରତି ମଧ୍ୟ କେହି ଧ୍ୟାନ ଦେଉନଥିବା ଏବଂ ସେବାକେନ୍ଦ୍ର ପରିସର ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଲାଣି । ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବା ବେଳେ ଯଦି ସରକାର ଏଥିପ୍ରତି ଦୃଷ୍ଟି ନଦିଅନ୍ତି ତେବେ ପର୍ଯ୍ୟଟକ ଏହି ସେବାରୁ ବଞ୍ଚିତ ରହିବେ ବୋଲି କହିଛନ୍ତି ଅଞ୍ଚଳବାସୀ ।