ଟିକେଟ ବଣ୍ଟନ ପରେ ହରିୟାଣା ବିଜେପିରେ ବିଦ୍ରୋହ

ଚଣ୍ଡିଗଡ଼: ଦିନକୁ ଦିନ ଜଟିଳ ସ୍ଥିତିକୁ ଯାଉଛି ହରିୟାଣା ବିଜେପି । ଟିକେଟ ବଣ୍ଟନକୁ ନେଇ ଦଳରେ ବିଦ୍ରୋହ ସୃଷ୍ଟି ହୋଇଥିବା ବେଳେ ଅନେକ ନେତା, ମନ୍ତ୍ରୀ ଦଳରୁ ଇସ୍ତଫା ଦେଇଛନ୍ତି । ଗତକାଲି ଦଳରୁ ଇସ୍ତଫା ଦେଇଥିବା ୨୦ରୁ ଅଧିକ ନେତା ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବେ ନଚେତ ଅନ୍ଯ ଦଳକୁ ଯିବେ ବୋଲି ସଙ୍କେତ ମିଳିଛି ।

୯୦ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ଲାଗି ବିଜେପି ୬୭ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ଦଳ ଛାଡ଼ିଥିବା ନେତାଙ୍କ ମଧ୍ଯରେ ଅଛନ୍ତି, ଲକ୍ଷ୍ଣଣ ନାପା, କରଣ ଦେବ କମ୍ବୋଜ, ଅମିତ ଜୈନ, ଶମଶେର ଗିଲ, ସୁଖବିନ୍ଦର ମଣ୍ଡି, ଆଦିତ୍ଯ ଚୌଟାଲା, ଆଶୁ ଶେରା, ସବିତା ଜିନ୍ଦଲ, ତରୁଣ ଜୈନ ଭଳି ଅନେକ ପ୍ରମୁଖ ନେତା । ଏମାନଙ୍କ ମଧ୍ୟରୁ କିଛି ନେତା ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଉଥିବା ଶୁଣିବାକୁ ମିଳୁଛି ।

ଇସ୍ତଫା ଦେଇଥିବା ନେତା ରଣଜୀତ ଚୌଟାଲା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଦେବୀ ଲାଲଙ୍କ ପୁଅ । ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି କହିଛନ୍ତି ରଣଜିତ । ମୁଖ୍ଯମନ୍ତ୍ରୀ ନାୟବ ସିଂ ସୈନି ଲାଡବା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଅନିଲ ବିଜ ଅମ୍ବାଲା ସିଟରୁ ପ୍ରାର୍ଥୀ ହୋଇଛନ୍ତି । ସେପଟେ କଂଗ୍ରେସରେ ସାମିଲ ହୋଇଥିବା ରେସଲର ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆ ଟିକେଟ ପାଇବା ଏକରକମ ନିଶ୍ଚିତ  ହୋଇଛି । ଭିନେଶଙ୍କୁ ଜୁଲାନା ଓ ପୁନିଆଙ୍କୁ ବାଦଲି ଆସନ ମିଳିବା ଏକରକମ ନିଶ୍ଚିତ ବୋଲି ସୂଚନା ମିଳିଛି ।