ସୁଭଦ୍ରା ଯନ୍ତ୍ରଣା: ସାରା ରାଜ୍ଯରୁ ଅବ୍ଯବସ୍ଥା ଓ ଅସନ୍ତୋଷର ଖବର

1 min read

ଭୁବନେଶ୍ବର: ଚାରିଆଡୁ ଆସୁଛି ସୁଭଦ୍ରା ଯନ୍ତ୍ରଣା ଖବର । ସୁଭଦ୍ରା ଯୋଜନାରେ ନାମ ପଞ୍ଜିକରଣ କରିବାକୁ ଯାଇ ନୟାନ୍ତ ହେଲେଣି ଲୋକେ । ଆଧାରକାର୍ଡ ସଂଶୋଧନ, ଆଧାର ସହ ବ୍ଯାଙ୍କ ଆକାଉଣ୍ଟ ଲିଙ୍କ୍, ଆଧାର ମୋବାଇଲ ଫୋନ ସଂଯୋଗ ଓ ବ୍ଯାଙ୍କ ଜମାଖାତା ସହ ମୋବାଇଲ ଫୋନ ଲିଙ୍କ । ଏସବୁ ସୁଧାରିବାକୁ ଯାଇ ହନ୍ତସନ୍ତ ମହିଳା । ପିଲାଛୁଆଙ୍କୁ ଧରି କିଏ ରାତି ତମାମ ପୋଷ୍ଟ ଅଫିସ ଆଗରେ ଅପେକ୍ଷା କରିଛି ତ ଆଉ କିଏ ବ୍ଯାଙ୍କ ଓ ମୋ ସେବା କେନ୍ଦ୍ର ଆଗରେ ଧାଡ଼ି ଲଗାଇଛି । ସେବା ମିଳିବାରେ ଅବ୍ଯବସ୍ଥାରୁ ସାଧାରଣରେ ଅସନ୍ତୋଷ ତେଜୁଛି । ବ୍ୟବସ୍ଥାକୁ ଆହୁରି ସରଳ ଓ ସୁବିଧାଜନକ କରିବାକୁ ଲୋକେ ଦାବି କରିଛନ୍ତି । ପଞ୍ଚାୟତସ୍ତରରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ଲୋକେ ଦାବି କରିଛନ୍ତି ।

ସୁନ୍ଦରଗଡ଼ରୁ କୋରାପୁଟ, ବାଲେଶ୍ଵରରୁ ଗଞ୍ଜାମ । ସବୁଠି ସୁଭଦ୍ରା ଅବ୍ଯବସ୍ଥା । ହଇରାଣ ହେଉଛନ୍ତି ମାଆ ଓ ଭଉଣୀ । ବ୍ୟାଙ୍କ ଓ ପୋଷ୍ଟ ଅଫିସ ଆଗରେ ଦିନରାତି ଧାଡି ଲଗାଇଛନ୍ତି । କେବଳ ଏହି ୪ ଜିଲ୍ଲା ନୁହଁ । ସାରା ରାଜ୍ଯରେ ସମାନ ଦୃଶ୍ୟ । ସୁଭଦ୍ରା ଯୋଜନାରେ ନାମ ପଞ୍ଜିକରଣ କରିବାକୁ ଆସି ନୟାନ୍ତ ମହିଳା । କେଉଁଠି ଓ୍ବେବସାଇଟ ଖୋଲୁନି ତ ଆଉ କେଉଁଠି ଆଧାରକାର୍ଡ ଅପଡେଟ୍ ନାହିଁ । କାହାର ବ୍ଯାଙ୍କ ଖାତା ସହ ଆଧାର କାର୍ଡ ଲିଙ୍କ ହୋଇନି ତ ଆଉ କାହାର ଆଧାରକାର୍ଡ ସହ ଫୋନ୍ ନମ୍ବର ଲିଙ୍କ୍ ନାହିଁ । ଆଧାରକାର୍ଡ ସଂଶୋଧନ ପାଇଁ ଲାଗିଛି ଲମ୍ବା ଲାଇନ । ମଧ୍ଯରାତ୍ରିରୁ ପୋଷ୍ଟ ଅଫିସ ସାମ୍ନାରେ ଲଗାଇଛନ୍ତି ଧାଡ଼ି । ପୋଷ୍ଟ ଅଫିସ ଆଗରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ଅନେକ ଯନ୍ତ୍ରଣା ଭୋଗୁଛନ୍ତି । ଲମ୍ବା ଲାଇନରେ ଠିଆ ହେଲେ ସୁଦ୍ଧା ହୋଇପାରୁନି ସଂଶୋଧନ । ୨ ଦିନ ଧରି ଧାଡ଼ିରେ ଠିଆ ହୋଇ ବି ଆଧାର ନମ୍ବର ସଂଶୋଧନ ହୋଇପାରୁନି ।

ଜନସେବା କେନ୍ଦ୍ର ଓ ପୋଷ୍ଟ ଅଫିସ ଆଗରେ ଲମ୍ବା ଲାଇନ । କିନ୍ତୁ ଖୋଲୁନି ସୁଭଦ୍ରା ପୋର୍ଟାଲ । କନ୍ଧମାଳ ବାଲିଗୁଡ଼ା ଅଞ୍ଚଳରେ ଏହାକୁ ନେଇ ବ୍ଯାପକ ଅସନ୍ତୋଷ । ଆଧାର ସହ ମୋବାଇଲ ଲିଙ୍କ କରିବାକୁ ଆସି ହନ୍ତସନ୍ତ ହେଉଛନ୍ତି ମହିଳା । ସେହିପରି ଗଞ୍ଜାମ ଆସିକାରେ ମହିଳାଙ୍କ ସମସ୍ୟା ନକହିବା ଭଲ । ସମାନ ଅବସ୍ଥା ରାଉରକେଲାରେ । ଉଦିତନଗର ଆଧାର କାର୍ଡ ସଂଶୋଧନ କେନ୍ଦ୍ରରେ ଲାଗିଥିଲା ପ୍ରବଳ ଭିଡ । ଗୋଟିଏ ଅଫିସରୁ ଅନ୍ଯ ଅଫିସକୁ ଦୌଡି ମହିଳାମାନେ ହେଉଛନ୍ତି ହଇରାଣ ।

ଗତକାଲି ମଧ୍ଯ ରାଜ୍ଯର ବିଭିନ୍ନ ସ୍ଥାନରୁ ଅବ୍ଯବସ୍ଥାର ଖବର ଲାଗି ରହିଥିଲା । ଆଧାର କାର୍ଡ ସହ ବ୍ୟାଙ୍କ ପାସବୁକ ଲିଙ୍କ ଲାଗି ଲମ୍ବା ଧାଡିରେ ଛିଡା ହୋଇଥିଲେ ମହିଳା l ହେଲେ ଅଧାରୁ ଖରାପ ହେଲା ଆଧାର କେନ୍ଦ୍ର ମେସିନ l ଦୂରଦୁରାନ୍ତର ଆସିଥିବା ମହିଳା ନିରାଶ ହୋଇ ଫେରିଥିଲେ । ରାଜଧାନୀ ଭୁବନେଶ୍ଵରରେ ମଧ୍ଯ ସମାନ ଅବସ୍ଥା । ଆଧାର କେନ୍ଦ୍ରରେ ନାହିଁ ନଥିବା ଭିଡ଼ । ବାଲେଶ୍ଵର ସୋରରେ ଆଧାର କାର୍ଡ ସଂଶୋଧନ ପାଇଁ ଜନସେବା କେନ୍ଦ୍ର ଓ ଡାକଘର ଆଗରେ ଲାଗିଥିଲା ଲମ୍ବା ଲାଇନ । ଭଦ୍ରକ ଆରଡ଼ିରେ ସମାନ ଅବସ୍ଥା । କୋରାପୁଟ ପଟାଙ୍ଗିରେ ଅଫିସ ଖୋଲିବା ମାତ୍ରେ ଲୋକେ ଦୌଡ଼ି ଭିତରକୁ ପଶିଥିଲେ । ଯାଜପୁର ମୁଖ୍ୟ ଡାକଘରେ ମଧ୍ଯ ଆଧାର ଲିଙ୍କ୍ କରିବାକୁ ଜମିଥିଲା ପ୍ରବଳ ଭିଡ । ହେଲେ ଏସବୁ ମଧ୍ଯରେ ସୁଭଦ୍ରା ଯୋଜନାରେ ଆବେଦନ ଲାଗି ନିର୍ଦ୍ଦିଷ୍ଟ ଶେଷ ତାରିଖ ନାହିଁ ବୋଲି କହିଛନ୍ତି ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେପ୍ଟେମ୍ବର ୧୭ ପରେ ମଧ୍ଯ ଆବେଦନ କଲେ ଯୋଜନାର ଲାଭ ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।