ରିଲିଜ ପରେ ବିବାଦରେ ‘IC 814’ : ନେଟଫ୍ଲିକ୍ସ କଣ୍ଟେଣ୍ଟ ମୁଖ୍ୟଙ୍କୁ ସମନ ଜାରି

1 min read

ନନ୍ଦିଘୋଷ ବ୍ୟୁରୋ: ବିବାଦରେ ନେଟଫ୍ଲିକସର ନୂଆ ୱେବ୍ ସିରିଜ୍ ‘IC 814-କାନ୍ଦାହାର ହାଇଜାକ୍’ । ଏହା ଅଗଷ୍ଟ 29ରେ ନେଟଫ୍ଲିକ୍ସରେ ରିଲିଜ ହୋଇଛି । ୱେବ୍ ସିରିଜ୍କୁ ନେଇ ନିର୍ଦ୍ଦେଶକ ଅନୁଭବ ସିହ୍ନାକୁ ଯେତିକି ତାଳି ପଡୁଛି ସେତିକି ଗାଳି ମଧ୍ୟ ପଡୁଛି । ଏହି ସିରିଜରେ 1999 ରେ ଏକ ଇଣ୍ଡିଆନ୍ ଏୟାରଲାଇନ୍ସ ବିମାନ ଅପହରଣର ଦୁଃଖଦ ଘଟଣା ଦର୍ଶାଯାଇଛି । କିଛି ଲୋକ ନିର୍ଦ୍ଦେଶକଙ୍କ ଅଭିନୟକୁ ପ୍ରଶଂସା କରିଥିବାବେଳେ କିଛି ଲୋକ ସିରିଜକୁ ନେଇ ନିର୍ମାତାଙ୍କ ଉପରେ ବର୍ଷିଛନ୍ତି ଏବଂ ଘଟଣା ବଦଳାଇବାକୁ ଚେଷ୍ଟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ନେଟଫ୍ଲିକ୍ସ ମୁଖ୍ୟ ମୋନିକା ସେରଗିଲ୍‌ଙ୍କୁ ନୋଟିସ୍ କରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ।

ସୂଚନା ଅନୁଯାୟୀ ମନ୍ତ୍ରାଳୟ ୱେବ୍ ସିରିଜ୍ ‘IC 814-କାନ୍ଦାହାର ହାଇଜାକ୍’ ରେ ଆତଙ୍କବାଦୀଙ୍କ ନାଁ କୁ ନେଇ ବିବାଦ ଆରମ୍ଭ ହେଇଛି । ପ୍ରକୃତ ନାଁ ଓ୍ବେବସିରିଜରେ ବ୍ୟବହାର ନହୋଇ ହିନ୍ଦୁ ଭଗବାନଙ୍କ ନାମ ଅନୁଯାୟୀ  ଭୋଲା ଓ ଶଙ୍କର ରଖାଯାଇଛି । ଯାହାକୁ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆପତ୍ତି ଉଠାଇବା ସହ ସ୍ପଷ୍ଟୀକରଣ ରଖିବାକୁ ନେଟଫ୍ଲିକସ ମୁଖ୍ୟଙ୍କୁ ନୋଟିସରେ କୁହାଯାଇଛି । ଓ୍ବେବସିରିଜରେ ଆତଙ୍କବାଦୀଙ୍କ ପ୍ରକୃତ ନାଁକୁ ଲୁଚାଯିବା ପାଇଁ ଚେଷ୍ଟା କରାଯାଇଛି ଯାହାକୁ ଲୋକମାନେ ବିରୋଧ କରିଛନ୍ତି ।

ପ୍ରକୃତରେ ଏହି ଆତଙ୍କବାଦୀଙ୍କ ନାମ ଇବ୍ରାହିମ ଅଥାର, ସହିଦ ଅଖତର ସଇଦ, ସନ୍ନି, ଅହମ୍ମଦ କାଜୀ, ଜାହୋର ମିଷ୍ଟ୍ରି ଏବଂ ଶାକିର ବୋଲି କୁହାଯାଉଛି । କିନ୍ତୁ ଏହି କ୍ରମରେ ଏହି ଆତଙ୍କବାଦୀଙ୍କ ନାମ ଭୋଲା, ଶଙ୍କର, ଡାକ୍ତର, ବରଗଡ ଏବଂ ମୁଖ୍ୟ ଭାବରେ ରଖାଯାଇଛି । ଏହି ଧାରାବାହିକରେ ଆତଙ୍କବାଦୀଙ୍କ ପାଇଁ କୋଡନାମ ବ୍ୟବହାର କରାଯାଇଛି, ଯେଉଁଥି ପାଇଁ ନେଟିଜେନ୍ସମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ବହୁଚର୍ଚ୍ଚିତ ୧୯୯୯ କାନ୍ଦାହାର ହାଇଜାକ୍ ଘଟଣାକୁ ନେଇ ୱେବ୍ ସିରିଜର କାହାଣୀ ତିଆରି ହୋଇଛି। ସେତେବେଳେ ଏହି ଅପହରଣରେ ‘ହରକତ୍ ଉଲ୍ଲ ମୁଜାହିଦ୍ଦିନ୍’ ର ୫ ଜଣ ଆତଙ୍କବାଦୀ ସାମିଲ ଥିଲେ। ସେମାନେ ହେଲେ ଇବ୍ରାହିମ୍ ଆଥର୍, ସାହିଦ୍ ଅଖତର, ସନ୍ନି ଅହମ୍ମଦ କାଜି, ଜହୁର୍ ଇବ୍ରାହିମ୍ ଏବଂ ସାକିର୍। କିନ୍ତୁ ଏହି ୱେବ୍ ସିରିଜ୍ ରେ ଏହାର ନାଁ ପରିବର୍ତ୍ତନ କରାଯାଇଛି ତାପୁଣି ଦୁଇ ଆତଙ୍କୀଙ୍କ ନାଁ ହିନ୍ଦୁ ଭଗବାନଙ୍କ ନାଁ ଶଙ୍କର ଓ ଭୋଲା ରଖାଯାଇଛି। ଯାହାକୁ ଦେଖି ଲୋକେ ସୋସିଆଲ୍ ମିଡିଆରେ ପ୍ରବଳ ସମାଲୋଚନା କରିଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ବାରା ୬ ଜାନୁଆରୀ ୨୦୦୦ରେ ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ ଅପହରଣକାରୀଙ୍କ ପ୍ରକୃତ ନାମ ହେଲା:

ଇବ୍ରାହିମ ଅତହର, ବହାବଲପୁର

ଶାହିଦ ଅଖତର ସଇଦ, ଗୁଲଶନ ଇକବାଲ,କରାଚୀ

ସନୀ ଅହମ୍ମଦ କାଜୀ, କରାଚୀ

ମିସ୍ତ୍ରୀ ଜହୁର ଇବ୍ରାହିମ, କରାଚୀ

ଶାକିର, ସୁକ୍କୁର ସିଟି