ଜଙ୍ଗଲୀ ଜୀବନରୁ ଡାକ୍ତରୀ ଦୁନିଆ: ଓଡ଼ିଶାର ଆଦିବାସୀ ଛାତ୍ରଙ୍କ ବୈପ୍ଳବିକ ସଫଳତା

ଭୁବନେଶ୍ବର: ଚଳିତବର୍ଷ ନିଟ କ୍ଲିୟର କରିଛନ୍ତି ରାଜ୍ଯର ଏକାଧିକ ଜନଜାତି ଛାତ୍ର । ଦାରିଙ୍ଗବାଡ଼ିରୁ ବଣ୍ଡାଘାଟି ଯାଏଁ ସବୁଠି ପଡ଼ିଛି ସଫଳତାର ପାଦଚିହ୍ନ । ଏହି ଐତିହାସିକ ସଫଳତା ପାଇଁ ସହାୟ ହୋଇଛି ନବୀନ ସରକାରଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନିଷ୍ପତ୍ତି । ଉପାନ୍ତରରେ ସୁଦୃଢ ଶିକ୍ଷା ଭିତ୍ତିଭୂମି, ଡାକ୍ତରୀ ଓ ଇଞ୍ଜିନିୟରିଂରେ ସରକାରୀ ସ୍କୁଲ ପିଲାଙ୍କ ପାଇଁ ୧୫ ପ୍ରତିଶତ ସଂରକ୍ଷଣ ବରଦାନ ସାଜିଛି ।

ଦାରିଙ୍ଗବାଡ଼ିର କଳାକାର ପ୍ରଧାନ । ଲମତାପୁଟର ଇଶାକ ବଡନାୟକ । ରାୟଗଡାର ନବସ ଶବର । ବଣ୍ତାଘାଟିର ମଙ୍ଗଳା ମୁଦୁଲି । ସମସ୍ତେ ଆଦିବାସୀ, ସମସ୍ତେ ଅଭାବୀ । କିଏ ବାପାଙ୍କ ସହ ମୂଲ ଲାଗିଛି ତ ଆଉ କିଏ ପେଟରେ ଓଦା କନା ପକାଇ ଦିନ କାଟିଛି । ଛପର ଘରେ ରାତି ପାହିଛି, ପୁଣି ବଣ ଜଙ୍ଗଲର ଆକାଶ ତଳେ ସ୍ବପ୍ନକୁ ଅଣ୍ଡାଳି ଦିନ ବିତିଛି । ହେଲେ ଜୀବନର ସଂଘର୍ଷମୟ ଯାତ୍ରାରେ ଏମାନଙ୍କ ପାଇଁ ଆଜି ଅଭାବ କେବଳ ଶବ୍ଦଟିଏ । ଉପାନ୍ତକୁ ଆଶାର ଆଲୋକରେ ଆଲୋକିତ କରି ଏମାନେ ବନିଛନ୍ତି ଜଣେ ଜଣେ ଡାକ୍ତରୀ ଛାତ୍ର । ନିଟ୍ କ୍ବାଲିଫାଏ ପରେ ମେଡିକାଲ କଲେଜରେ ନାଁ ଲେଖାଇବା ସହ ସାଜିଛନ୍ତି ଓଡ଼ିଶାର ସମୃଦ୍ଧ ଶିକ୍ଷାର ଜ୍ବଳନ୍ତ ଉଦାହରଣ ।

ରାୟଗଡାର ଲାଞ୍ଜିଆ ସଉରା ଜନଜାତିର ନବସ ଶବର । ଜୀବନ କହିଲେ ଜଙ୍ଗଲ ଆଉ ଜଙ୍ଗଲ କହିଲେ ଜୀବନ । ପାଠ ପଢିବା ଯେମିତି ଏଇ ଜନଜାତିଙ୍କୁ ମନା । ହେଲେ ଜଙ୍ଗଲ ଆଉ ଜୀବନର ଜଞ୍ଜାଳ ଭିତରୁ ବାହାରି ସେ ହୋଇଛନ୍ତି ବାଜିଗର । ଆଉ ବନିଯାଇଛନ୍ତି ଡାକ୍ତରୀ ଛାତ୍ର । ଠିକ ସେମିତି ଲମତାପୁଟ ଗୋଦବା ଆଦିବାସୀ ପୁଅ ଇଶାକ ବଡନାୟକ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତାଙ୍କ ପାଇଁ ପାଲଟିଲା ବରଦାନ । ମଙ୍ଗଳା ମୁଦୁଲି ଓ କଳାକାର ପ୍ରଧାନଙ୍କ ସଂଘର୍ଷର କାହାଣୀ ବି କିଛି କମ ନୁହେଁ ।

ଆଦିବାସୀ ଛାତ୍ରଙ୍କ ଐତିହାସିକ ସଫଳତାକୁ ନେଇ ଆଜି ସବୁଠି ଚର୍ଚ୍ଚା । ହେଲେ ଏହାର ସୂତ୍ରଧର ହେଉଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ଏବେର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଦିବାସୀ ଛାତ୍ରଟିଏ କାହିଁକି ଡାକ୍ତର ଓ ଇଞ୍ଜିନିଅର ହୋଇପାରିବନି ? ଏକଥାକୁ ଗୁରୁତର ସହିତ ନେଇ ଉପାନ୍ତରେ ଶିକ୍ଷାର ବିକାଶ କରିଥିଲେ ନବୀନ ସରକାର । ସ୍କୁଲଗୁଡ଼ିକରେ ଭିତ୍ତିଭୂମିର ସୁଦୃଢିକରଣ ସହ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ୧୫ ପ୍ରତିଶତ ସିଟ୍ ସଂରକ୍ଷଣ କରିଥିଲେ । ଯାହାର ସୁଫଳ ଆଜି ଛାତ୍ରଛାତ୍ରୀମାନେ ଲାଭ କରୁଛନ୍ତି ।

ଓଡ଼ିଶାର ଆଦିବାସୀ ଛାତ୍ରଙ୍କ ବୈପ୍ଳବିକ ସଫଳତା ଯେତିକି ଉଲ୍ଲେଖନୀୟ ଏଥିପାଇଁ ନବୀନଙ୍କ ଅବଦାନ ସେତିକି ସ୍ମରଣୀୟ ।