ସଂସଦରେ କଙ୍ଗନାଙ୍କ ପାଇଁ ସ୍ଥାନ ନାହିଁ : ରୋବର୍ଟ ଭଦ୍ରା

ନନ୍ଦିଘୋଷ ବ୍ୟୁରୋ: ବିଜେପି ସାଂସଦ କଙ୍ଗନା ରଣାଓ୍ବତ ଆଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି । ସେ ଫିଲ୍ମ ଏମରଜେନ୍ସି ହେଉ ବା ରାଜନୈତିକ ବୟାନ । ସବୁବେଳେ ଗଣମାଧ୍ୟମରେ ହେଡଲାଇନ ପାଲଟୁଥିବା କଙ୍ଗନାଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କ ସ୍ବାମୀ ରୋବର୍ଟ ଭଦ୍ରା । କୃଷକଙ୍କ ଉପରେ ନିକଟରେ ଦେଇଥିବା ବିବୃତି ପାଇଁ ବର୍ଷିଛନ୍ତି ରୋବର୍ଟ । ସେ କହିଛନ୍ତି କି, କଙ୍ଗନା ଜଣେ ମହିଳା ହୋଇଥିବାରୁ ମୁଁ ତାଙ୍କୁ ସମ୍ମାନ କରେ । କିନ୍ତୁ ସେ ସାଂସଦ ହେବା ପାଇଁ ଯୋଗ୍ୟ ନୁହଁନ୍ତି ତାଙ୍କର ସଂସଦରେ ସ୍ଥାନ ନାହିଁ । ମୁଁ ଭାବୁଛି ସେ ଲୋକଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ । ଏହାସହ ସେ ମହିଳାଙ୍କ କଥା ମଧ୍ୟ ଭାବନ୍ତି ନାହିଁ । ଏହାସହ ରୋବର୍ଟ କହିଛନ୍ତି କି, ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ମହିଳାଙ୍କ ସୁରକ୍ଷା ସମ୍ପର୍କରେ ପଦକ୍ଷେପ ନେବା ଉଚିତ ।

ତେବେ କହି ରଖୁଛୁ କି, କୃଷକଙ୍କ ଆନ୍ଦୋଳନକୁ ନେଇ କଙ୍ଗନା ନିଜର ବିବୃତ୍ତିରେ କହିଥିଲେ କି, ଯଦି ଦେଶରେ ଶକ୍ତିଶାଳୀ ସରକାର ନଥାନ୍ତେ ତାହେଲେ ବାଂଲାଦେଶ ଭଳି ପରିସ୍ଥିତି ସୃଷ୍ଟି ହୋଇଥାନ୍ତା । ଯାହାକୁ ନେଇ ଏବେ କଙ୍ଗନାକୁ ବିରୋଧୀମାନେ ଘେରିବା ସହ ସମାଲୋଚନା କରୁଛନ୍ତି ।