୧୭ ବର୍ଷ ହେଲା ଭୂତକୋଠି ପରି ପଡ଼ିରହିଛି ପିପିଲି କ୍ରାପ୍ଟ ଭିଜେଲ, ଅନିଶ୍ଚିତତାରେ ଚାନ୍ଦୁଆ କାରିଗର

1 min read

ପିପିଲି: କାମରେ ଆସୁନାହିଁ କୋଟି କୋଟି ଟଙ୍କାରେ ପିପିଲିରେ ନିର୍ମିତ କ୍ରାଫ୍ଟ ଭିଲେଜ । ପାଲଟିଲାଣି ଭୂତକୋଠି । କ୍ରାଫ୍ଟ ଭିଲେଜ କେବେ ଚାନ୍ଦୁଆ କାରିଗରଙ୍କ କାମରେ ଆସିବ ତାକୁ ନେଇ ଲାଗି ରହିଛି ଅନିଶ୍ଚିତତା । ସେପଟେ ବର୍ଷ ବର୍ଷ ଧରି ଚାନ୍ଦୁଆ କାରିଗରଙ୍କୁ ପ୍ରଶାସନ ଭୁଆଁ ବୁଲାଉଥିବା ନେଇ ଅଭିଯୋଗ କରିଛନ୍ତି ଚାନ୍ଦୁଆ କାରିଗର ।

କାମରେ ଆସୁନି କ୍ରାଫ୍ଟ ଭିଲେଜ । ମାସେ କି ଦୁଇ ମାସେ ନୁହେଁ, ପ୍ରାୟ ୧୭ ବର୍ଷ ଧରି ପିପିଲି ଚାନ୍ଦୁଆ କ୍ରାଫ୍ଟ ଭିଲେଜ ଭୂତ କୋଠି ପାଲଟି ରହିଛି । ଯେଉଁ କ୍ରାଫ୍ଟ ଭିଲେଜ ଦେଶ ବିଦେଶର ପର୍ଯ୍ଯଟକଙ୍କୁ ଆକୃଷ୍ଟ କରିଥାନ୍ତା ସେ ଏବେ ନିଜର ପରିଚୟ ଖୋଜୁଛି । ଦଶ କୋଟି ଟଙ୍କାରୁ ଅଧିକ ଟଙ୍କା ବ୍ଯୟ ଅଟକଳରେ ନିର୍ମାଣ ହୋଇଥିଲା ଏହି କ୍ରାଫ୍ଟ ଭିଲେଜ । ଏଠାରେ ଚାନ୍ଦୁଆ କାରିଗରୀ, ବ୍ୟବସାୟୀ, ପର୍ଯ୍ୟଟକଙ୍କ ପାଇଁ ରେଷ୍ଟୁରାଣ୍ଟ, ବିଶ୍ରାମ ସ୍ଥଳୀର ବ୍ଯବସ୍ଥା କରାଯାଇଥିଲା । ହେଲେ ବିଲ୍ଡିଂ ନିର୍ମାଣକୁ ୧୭ ବର୍ଷ ବିତିଯାଇଥିଲେ ମଧ୍ଯ ଏଠାରେ ଚାନ୍ଦୁଆ ହେବା ତ ଦୂରର କଥା କାରିଗରଙ୍କ କାମରେ ଆସି ପାରିଲା ନାହିଁ । ପ୍ରଶ୍ନ ଉଠୁଛି- ଏହି କ୍ରାଫ୍ଟ ଭିଲେଜଟି କେବେ ଚାନ୍ଦୁଆ କାରିଗରଙ୍କ କାମରେ ଆସିବ ? ଅନ୍ୟପକ୍ଷରେ ଏହି କ୍ରାଫ୍ଟ ଭିଲେଜ ବର୍ତ୍ତମାନ ନିଶାଡୀଙ୍କ ଆଡାସ୍ଥଳୀ ପାଲଟିଥିବା ବେଳେ ସରକାର ଦୃଷ୍ଟି ଦେଉ ନଥିବା ଅଭିଯୋଗ କରିଛନ୍ତି ଚାନ୍ଦୁଆ କାରିଗର । ପ୍ରଶାସନିକ ସ୍ତରରେ ଏଭଳି ଉଦାସୀନତା ପାଇଁ କାରିଗର ଚାନ୍ଦୁଆ ପ୍ରତି ମୁହଁ ଫେରାଇ ନେଉଥିବା ଅଭିଯୋଗ ହେଉଛି ।

ଚାନ୍ଦୁଆ କ୍ରାଫ୍ଟ ଭିଲେଜର ତଦାରଖ କରିବା ପାଇଁ ଅନେକ ଥର ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଆସିଥିଲେ ମଧ୍ଯ ଅଞ୍ଚଳର ଭାଗ୍ଯ ପରିବର୍ତ୍ତନ ହୋଇପାରିନାହିଁ । ବର୍ଷ ବର୍ଷ ଧରି କେବଳ ମିଛ ପ୍ରତିଶ୍ରୁତି ମିଳୁଥିବା ଅଭିଯୋଗ କରିଛନ୍ତି କାରିଗର । ଚାନ୍ଦୁଆ ଶିଳ୍ପର ବିକାଶ ନିମନ୍ତେ ପୂର୍ବତନ ସରକାର ୨୩ କୋଟି ଟଙ୍କା ମଞ୍ଜୁର କରିଥିଲେ । ହେଲେ ଏପର୍ଯ୍ଯନ୍ତ ଚାନ୍ଦୁଆ ଶିଳ୍ପର କୌଣସି ବିକାଶ ହୋଇପାରିନାହିଁ ବୋଲି ଅଭିଯୋଗ କରାଯାଇଛି । ସେପଟେ କ୍ରାଫ୍ଟ ଭିଲେଜର ଖୁବଶୀଘ୍ର ପୁନଃରୁଦ୍ଧାର କରାଯିବା ସହିତ ଏଠାରେ ଏକ ମଡେଲ ପ୍ରୋଜେକ୍ଟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

କେବେ ଏହି କ୍ରାଫ୍ଟ ଭିଲେଜଟି କାର୍ଯ୍ଯକ୍ଷମ ହେବ ତାକୁ ନେଇ ଏବେ କଳ୍ପନା ଜଳ୍ପନା ଲାଗି ରହିଛି ।