ଯାଜପୁର: ମାଆ ଓ ସ୍ତ୍ରୀକୁ ହାଣିଲା ପୁଅ । ପୁଅର କଟୁରି ଚୋଟରେ ମାଆ ଏବଂ ସ୍ତ୍ରୀ ଆହତ । ଆହତ ଅବସ୍ଥାରେ ପୋଲିସ ଉଭୟଙ୍କୁ ଉଦ୍ଧାର କରି ସୁକିନ୍ଦା ମେଡିକାଲକୁ ଚିକିତ୍ସା ପାଇଁ ପଠାଇଛି । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ମଧୁବନ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଭିଯୁକ୍ତ ପୁଅ ଟିମା ଦେହୁରୀଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।

ସୂଚନା ଅନୁଯାୟୀ, ପରିବାର ମଧ୍ୟରେ ପୂର୍ବରୁ କଳହ ଲାଗିରହୁଥିଲା । ଟିମା ଅନେକ ଥର ଘରେ ସମସ୍ତଙ୍କୁ ମାରଧୋର କରିଛନ୍ତି । ଆଜି ସକାଳେ ଟିମା କୌଣସି କାରଣରୁ ରାଗିଯାଇ ଏକ କଟୁରି ଧରି ସ୍ତ୍ରୀ କୁ ହାଣିବାକୁ ଗୋଡ଼ାଇ ଥିଲା । ଏହି ସମୟରେ ମାଆ ଅଟକାଇବାରୁ ଟିମା ମାଆର ମୁଣ୍ଡକୁ କଟୁରିରେ ଚୋଟ ପକାଇଥିଲା । ପରେ ସ୍ତ୍ରୀକୁ ଧରି ହାଣିଥିଲା ଟିମା ।

ଫଳରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ । ଖବର ପାଇ କଳିଙ୍ଗ ନଗର ଅତିରିକ୍ତ ଏସ.ପି ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଟିମାକୁ ଥାନାକୁ ଆଣିଥିଲେ । ସେପଟେ ଆହତମାନଙ୍କୁ ଉଦ୍ଧାର କରି ମେଡିକାଲ ପଠାଯାଇଛି । ଘଟଣା ସମ୍ପର୍କରେ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।


