ମାଓବାଦୀଙ୍କ ସ୍ଥିତି ପ୍ରସଙ୍ଗରେ ଆଜି ସମୀକ୍ଷା ବୈଠକ

ନନ୍ଦିଘୋଷ ବ୍ୟୁରୋ: ଦେଶରେ କମିଛି କି ମାଓବାଦୀ ହିଂସା । ଦେଶରେ ମାଓବାଦୀଙ୍କ ସ୍ଥିତି ପ୍ରସଙ୍ଗରେ ଆଜି ସମୀକ୍ଷା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଛତିଶଗଡ଼ ରାୟପୁରରେ ଅନୁଷ୍ଠିତ ହେବ ଉଚ୍ଚସ୍ତରୀୟ ମାଓବାଦୀ ସମୀକ୍ଷା ବୈଠକ । ବୈଠକରେ ଓଡ଼ିଶା, ଛତିଶଗଡ଼, ମଧ୍ଯପ୍ରଦେଶ, ମହାରାଷ୍ଟ୍ର, ଝାଡ଼ଖଣ୍ଡର ମୁଖ୍ଯ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକମାନେ ଯୋଗଦେବେ । ଆନ୍ତଃରାଜ୍ଯ ସମନ୍ବୟ ଏବଂ ନିରାପତ୍ତା ପ୍ରସଙ୍ଗରେ ବୈଠକରେ ହେବ ଆଲୋଚନା । ଏହି ବୈଠକରେ ଛତିଶଗଡ଼ ଓ ଅନ୍ଯାନ୍ଯ ମାଓ ପ୍ରଭାବିତ ରାଜ୍ଯରେ ମାଓବାଦୀଙ୍କ ସ୍ଥିତି ସମ୍ପର୍କରେ ଆଲୋଚନା ହେବ । ରାୟପୁରରେ ବି ଆଜି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ଯୁରୋର ଏକ ଆଞ୍ଚଳିକ କାର୍ଯ୍ୟାଳୟର ଉଦଘାଟନ କରିବେ ଅମିତ ଶାହ । ଏହି ବୈଠକ ପୂର୍ବରୁ ଛତିଶଗଡ଼ ମୁଖ୍ଯମନ୍ତ୍ରୀ ବିଷ୍ଣୁଦେବ ସାଏ ଏକ ସମୀକ୍ଷା ବୈଠକରେ ରାଜ୍ଯରେ ମାଓବାଦୀ ସ୍ଥିତି ନେଇ ସମୀକ୍ଷା କରିଛନ୍ତି । ପୂର୍ବରୁ ଗତ ୨୨ ତାରିଖରେ ଓଡ଼ିଶା ଚୂଡ଼ାନ୍ତ କରିଛି ରଣନୀତି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପୋଲିସ ଡିଜି, ଗୃହ ବିଭାଗ ସଚିବ, ଏଡିଜି ଅପରେସନ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଓଡ଼ିଶା ନକ୍ସଲ ମୁକାବିଲାରେ ବିଶେଷ ସଫଳତା ଲାଭ କରି ଦେଶ ପାଇଁ ଉଦାହରଣ ସାଜିଛି । ସ୍ୱାଭିମାନ ଅଞ୍ଚଳ ମାଓମୁକ୍ତ ହେବାପରେ ଓଡିଶାକୁ ପାଇଲଟ ପ୍ରୋଜେକ୍ଟ ଭାବେ ଗ୍ରହଣ କରାଯାଉଛି । ଓଡ଼ିଶାରେ ଏବେ ୭ଟି ନକ୍ସଲ ଅଧ୍ୟୁଷିତ ଜିଲ୍ଲା ରହିଛି । ସେଗୁଡିକ ହେଲା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ ରାୟଗଡା । ୨୦୧୩ରେ ୧୦ଟି ରାଜ୍ୟର ୧୨୬ ଜିଲ୍ଲା ନକ୍ସଲ ଅଧ୍ୟୁଷିତ ଥିବା ବେଳେ ୨୦୨୩ ଏପ୍ରିଲ ସୁଦ୍ଧା ଏହା ଖସି ୩୮ରେ ପହଞ୍ଚିଛି ।