ଚିକିଟି ମଦମୃତ୍ଯୁକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ

ଭୁବନେଶ୍ବର: ସ୍ବାଭାବିକ ହୋଇପାରୁନି ବିଧାନସଭା । ଚିକିଟି ମଦମୃତ୍ଯୁକୁ ନେଇ ଆଜି ବି ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଆରମ୍ଭରୁ ବିରୋଧୀ ବିଜେଡି ଓ କଂଗ୍ରେସ ଗୃହ ମଧ୍ଯଭାଗକୁ ଆସି ପ୍ରତିବାଦ କରିଥିଲେ । ପ୍ରଶ୍ନଉତ୍ତର କାଳରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଗୃହ ମଧ୍ୟଭାଗକୁ ଆସି ପ୍ରତିବାଦ କରିବା ସହ ବାଚସ୍ପତିଙ୍କ ପୋଡିଅମ ଚଢିବାକୁ ଉଦ୍ୟମ କରିଥିଲେ । ପ୍ରବଳ ବିରୋଧ ମଧ୍ଯରେ କିଛି ସମୟ ପ୍ରଶ୍ନକାଳ ଚାଲିଥିଲା । ପରେ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଚୋରା ମଦବେପାରୀଙ୍କ ସହ ବିଜେପି ମନ୍ତ୍ରୀ, ବିଜେପି ବିଧାୟକ ଓ ନେତାଙ୍କ ସମ୍ପର୍କ ଥିବା ବିରୋଧୀ ଦଳ ମୁଖ୍ଯ ସଚେତକ ପ୍ରମିଳା ମଲ୍ଲିକ ଅଭିଯୋଗ କରିଛନ୍ତି । ଏଣୁ ନୈତିକତା ଦୃଷ୍ଟିରୁ ଅବକାରୀ ମନ୍ତ୍ରୀ ଇସ୍ତଫା ଦେବାକୁ ଦାବି ହୋଇଛି । କଂଗ୍ରେସ କହିଛି, ମଦମୁକ୍ତ ଓଡ଼ିଶା କରିବାକୁ ବିଜେପି ପ୍ରତିଶୃତି ଦେଇଥିଲା । ହେଲେ ବାସ୍ତବ ସ୍ଥିତି କଣ ଜଣାପଡ଼ୁଛି । କେବଳ ଚିକିଟି ନୁହେଁ ସାରା ଓଡ଼ିଶାରେ ଏବେ ଏମିତି ଅବସ୍ଥା । ସରକାର ଜବାବ ନଦେଲା ପର୍ଯ୍ଯନ୍ତ ପ୍ରତିବାଦ ଚାଲିବ ବୋଲି କଂଗ୍ରେସ ବିଧାୟକ କହିଛନ୍ତି ।