ଭାରତୀୟ ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକଙ୍କ ପରଲୋକ

ଚେନ୍ନାଇ : ଭାରତୀୟ ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ରାକେଶ ପାଲଙ୍କ ହୃଦଘାତରେ ମୃତ୍ଯୁ । ଚେନ୍ନାଇରେ ଇହଲୀଳା ସମ୍ବରଣ କରିଛନ୍ତି ରାକେଶ ।  ଚେନ୍ନାଇରେ ଏକ ଇଭେଣ୍ଟରେ ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଯୋଗଦେବାର କାର୍ଯ୍ୟକ୍ରମ ଥିଲା । ମାତ୍ର ସେ ଅସୁସ୍ଥତା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ରାଜୀବ ଗାନ୍ଧି ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ଯୁ ଘଟିଥିଲା । ରାକେଶଙ୍କୁ ଶେଷ ସମ୍ମାନ ଜଣାଇଥିଲେ ରାଜନାଥ। ଉତ୍ତରପ୍ରଦେଶରେ ଜନ୍ମିତ ରାକେଶ ଇଣ୍ଡିଆନ ନାଭାଲ ଏକାଡେମୀରୁ ଶିକ୍ଷାଲାଭ କରିଥିଲେ । ସେ ୧୯୮୯ରେ ତଟରକ୍ଷୀ ବାହିନୀରେ ଯୋଗ ଦେଇଥିଲେ। ଗତ ଜୁଲାଇ ୨୦୨୩ରେ ସେ ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ପଦରେ ଅବସ୍ଥାପିତ ହୋଇଥିଲେ। ତାଙ୍କୁ ୨୦୧୩ରେ ତଟରକ୍ଷକ ମେଡାଲ ଏବଂ ୨୦୧୮ରେ ରାଷ୍ଟ୍ରପତି ତଟରକ୍ଷକ ମେଡାଲ ମିଳିଥିଲା । ସେ ଆଇସିଜିଏସ ସମର୍ଥ, ଆଇସିଜିଏସ ବିଜିତ, ଆଇସିଜିଏସ ସୁଚେତା କ୍ରିପାଳିନୀ, ଆଇସିଜିଏସ ଅହଲ୍ଯାବାଈ ଆଦି ଜାହାଜରେ କମାଣ୍ଡର ପଦ ସମ୍ଭାଳିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ତାମିଲନାଡୁ ମୁଖ୍ଯମନ୍ତ୍ରୀ ଏମକେ ଷ୍ଟାଲିନ ପରଲୋକଗତ ଆତ୍ମାର ସଦଗତି କାମନା ସହ ତାଙ୍କ ମରଶରୀରରେ ପୁଷ୍ପମାଲ୍ଯ ଦେଇଥିଲେ ।