ପିକ ଛୁଇଁଲାଣି ମ୍ୟାଲେରିଆ: ୭ ଜିଲ୍ଲାରୁ ୨୭ ହଜାର ୬୮୪ ରୋଗୀ ଚିହ୍ନଟ, LLIN ମଶାରୀ ପଠାଇବାରେ କେନ୍ଦ୍ରର ବିଳମ୍ବ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ମ୍ୟାଲେରିଆ ବ୍ୟାପୁଥିବା ବେଳେ ୭ଟି ଜିଲ୍ଲାରେ ଏହା ପିକରେ ରହିଛି । ରାୟଗଡା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ବୌଦ୍ଧ, ମୟୂରଭଞ୍ଜ ଓ କନ୍ଧମାଳ ଜିଲ୍ଲାରେ ମ୍ୟାଲେରିଆ ଉତ୍କଟ ପରିସ୍ଥିତି ସୃଷ୍ଟି କରିଛି । ଏଲଏଲଆଇଏନ୍ ମଶାରୀର ପ୍ରଭାବ କମିବା ଓ କେନ୍ଦ୍ର ମଶାରୀ ପଠାଇବାରେ ବିଳମ୍ବ କରିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି । ତେବେ ଆଉ ଚାରି ଦିନ ଭିତରେ ଏଲଏଲଆଇଏନ୍ ମଶାରୀ ଓଡ଼ିଶାକୁ ପହଞ୍ଚିବା ନେଇ ଆଶା ରଖିଛି ସ୍ବାସ୍ଥ୍ୟ ବିଭାଗ ।

୭ ଜିଲ୍ଲାରେ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । କୋରାପୁଟରୁ ୫ ହଜାର ୫ ଶହ, ରାୟଗଡାରୁ ୬ ହଜାର ୮୮, ମାଲକାନଗିରିରୁ ୨ ହଜାର ୬୫୮, ମୟୂରଭଞ୍ଜରୁ ୧୪୬୬, ବୌଦ୍ଧରୁ ୧୧୪୮, କଳାହାଣ୍ଡିରୁ ୫ ହଜାର ୮୬୨, କନ୍ଧମାଳରୁ ୪ ହଜାର ୯୬୨ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ୭ ଜିଲ୍ଲା ମ୍ୟାଲେରିଆର ହଟସ୍ପଟ ପାଲଟିଛି । ପ୍ରତିବର୍ଷ ବର୍ଷା ଦିନେ ଏ ସବୁ ଜିଲ୍ଲାରେ ମ୍ୟାଲେରିଆ କାୟା ବିସ୍ତାର କରୁଛି । ଚିଳିତବର୍ଷ ଜୁଲାଇ ସୁଦ୍ଧା ସାରା ରାଜ୍ୟରୁ ସମୁଦାୟ ୩୨ ହଜାର ୬୭୬ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି । ଯେଉଁଥିରୁ ଚାରି ଜଣଙ୍କ ମତ୍ୟୁ ଘଟିଛି । ହେଲେ ଚିନ୍ତା ବଢାଇଛନ୍ତି ଏହି ୭ ଜିଲ୍ଲା । କେବଳ ଏହି ଜିଲ୍ଲାଗୁଡିକରେ ୨୭ ହଜାର ୬୮୪ ରୋଗୀ ଚିହ୍ନଟ ହେବା ସ୍ଥିତି ଜଟିଳ କରିଛି । ଏହି ସବୁ ଜିଲ୍ଲାରେ ଅଧିକ ରୋଗୀ ହେବାର କାରଣ ହେଉଛି ୨୦୨୦ ମସିହାରେ ଦିଆଯାଇଥିବା ଏଲଏଲଆଇଏନ ମଶାରୀର ପ୍ରଭାବ କମିବା । ଗତ ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଢ କୋଟି ଏଲଏଲଆଇଏନ ମଶାରୀ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । ସେପଟେ ପୁରୁଣା ଏଲଏଲଆଇଏନ ମଶାରୀର ପ୍ରଭାବ କମିଥିବାରୁ ମଶା ମଶାରୀରେ ବାଜିଲେ ମରୁ ନାହାନ୍ତି । ବିଳମ୍ବରେ ହେଲେ ବି ଧୀରେ ଧୀରେ ଏଲଏଲଆଇଏନ ମଶାରୀ ପହଞ୍ଚିବା ଆରମ୍ଭ ହୋଇଛି । ଏବେ ସୁନ୍ଦରଗଡ଼ରେ ଏଲଏଲଆଇଏନ ମଶାରୀ ପହଞ୍ଚିଲାଣି । ଦୁଇ ଚାରି ଦିନ ଭିତରେ ସମସ୍ତ ମ୍ୟାଲେରିଆ ପ୍ରଭାବିତ ଜିଲ୍ଲାରେ ଏଲଏଲଆଇଏନ ମଶାରୀ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ସ୍ବାସ୍ଥ୍ୟ ବିଭାଗ ।

ସେପଟେ ମ୍ୟାଲେରିଆ ନେଇ ସଚେତନତା ଯେପରି କରାଯିବା କଥା, ସେ ପରିମାଣରେ ହେଉ ନଥିବା ନେଇ ଆଶଂକା ରହିଛି । ପରିମଳ ବ୍ୟବସ୍ଥା ବି ସେତେଟା ଭଲ ନଥିବାରୁ ମ୍ୟାଲେରିଆ ବ୍ୟାପୁଥିବା ଅଭିଯୋଗ ହୋଇଛି । ଦୈନିକ ଶହ ଶହ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ହେଲେ ବେଡ୍ ଅଭାବରୁ ସେମାନେ ତଳେ ପଡ଼ି ରହୁଥିବାରୁ ଅସନ୍ତୋଷ ଦେଖାଦେଇଛି ।

ଉପକୂଳ ଜିଲ୍ଲାଗୁଡ଼ିକରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା କମ୍ । ହେଲେ ଅନେକ ଜିଲ୍ଲାରେ ଏହା ରାଇଜିଙ୍ଗ ଟ୍ରେଣ୍ଡରେ ରହିଥିବାରୁ ଚିନ୍ତା ବଢିବାରେ ଲାଗୁଛି । ବ୍ୟାପକ ସଚେତନତା ସହ ଲୋକଙ୍କ ଭିତରେ ମଶାରୀ ବ୍ୟବହାର କରିବା ନେଇ ପ୍ରୋତ୍ସାହନ ଯୋଗାଇବାର ଆବଶ୍ୟକତା ରହିଛି ।