ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ବର : ବାଲାଂଦେଶ ପଶ୍ଚିମ ଉପକୂଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା ଆଜି ଲଘୁଚାପର ରୂପ ନେଇପାରେ । ପ୍ରଭାରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ଯର ବିଭିନ୍ନ ସ୍ଥାନରେ ବର୍ଷା ହେବାନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ମୌସୁମୀ କାରଣରୁ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ଜାରି ରହିଛି । କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେଉଛି । ସକାଳୁ ଟୁଇନସିଟି ଭୁବନେଶ୍ବର ଓ କଟକରେ ଝିପିଝିପି ବର୍ଷା ହେଉଛି । ଆଗକୁ ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ବଢିପାରେ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଆଜି ବର୍ଷା ପାଇଁ ରାଜ୍ଯର ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼କୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେ ସମୁଦ୍ରରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ଏଣୁ ମତ୍ସ୍ଯଜୀବୀ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସମୁଦ୍ରରେ ରହିଥିଲେ ତୁରନ୍ତ ଫେରିଆସିବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।