ନୂଆ ବିଧାୟକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମକୁ ବିଜେଡିର ବର୍ଜନ

ଭୁବେନଶ୍ବର: ଓଡ଼ିଶା ବିଧାନସଭାର ନୂଆ ବିଧାୟକଙ୍କଚ ଦିଆଯିବାକୁ ଥିବା ଦିଗଦର୍ଶନ କାର୍ଯ୍ୟକ୍ରମକୁ ନେଇ ବଢ଼ିବାରେ ଲାଗିଛି ବିବାଦ । ଉଦଘାଟନୀ ଓ ଉଦଯାପନୀ କାର୍ଯ୍ୟକ୍ରମରେ ସାଂସଦଙ୍କୁ ମୁଖ୍ୟ ଅତିଥି କରାଯିବାକୁ ନେଇ ଆପତ୍ତି ଉଠାଇ କାର୍ଯ୍ୟକ୍ରମକୁ ବର୍ଜନ କରିଛି ବିଜେଡି ।

ବିଜେଡି ନୂଆ ବିଧାୟକଙ୍କ ଦିଗଦର୍ଶନ କାର୍ଯ୍ଯକ୍ରମରେ ଯୋଗ ଦେବନି ବୋଲି ସ୍ପଷ୍ଟ କରିଛି । ଏ ସମ୍ପର୍କରେ ବାଚସ୍ପତିଙ୍କୁ ଚିଠି ଲେଖି ଜଣାଇଛନ୍ତି ବିରୋଧୀ ଦଳ ମୁଖ୍ଯ ସଚେତକ ପ୍ରମିଳା ମଲ୍ଲିକ । ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ବିଧାନସଭାରେ ହେଉଥିବା ସମସ୍ତ କାର୍ଯ୍ଯ ବିଧାନସଭାକୁ ନିର୍ବାଚିତ ହେଉଥିବା ସଭ୍ଯଙ୍କ ଦ୍ବାରା ସମ୍ପାଦିତ କରାଯିବାର ପରମ୍ପରା ରହିଛି । କିନ୍ତୁ ନୂଆ ବିଧାୟକଙ୍କୁ ଦିଗଦର୍ଶନ କାର୍ଯ୍ଯକ୍ରମର ଉଦଘାଟନ କେନ୍ଦ୍ରମନ୍ତ୍ରୀ କରିବା ଗୃହର ପରମ୍ପରା ଓ ମର୍ଯ୍ଯାଦାକୁ ଭଙ୍ଗ କରୁଛି ।

ଦ୍ଵିତୀୟରେ ମୁଖ୍ଯମନ୍ତ୍ରୀ ହେଉଛନ୍ତି ଗୃହର ନେତା । ସେ ସରକାରର ମୁଖ୍ଯ । ବିଧାନସଭା ପରିସରରେ ଏକ କାର୍ଯ୍ଯକ୍ରମରେ ସେ ସାଧାରଣ ବକ୍ତା ଭାବେ ଯୋଗ ଦେବା, ମୁଖ୍ଯମନ୍ତ୍ରୀ ପଦର ମର୍ଯ୍ଯାଦା ହାନୀ କରୁଛି । ସଂଘୀୟ ବ୍ଯବସ୍ଥା ଅନୁସାରେ କେନ୍ଦ୍ରମନ୍ତ୍ରୀଙ୍କ ପାହ୍ଯାର ଉପରେ ରହିଥାଏ ମୁଖ୍ଯମନ୍ତ୍ରୀଙ୍କ ପାହ୍ୟା । ଏହି କାର୍ଯ୍ଯକ୍ରମରେ କିନ୍ତୁ ମୁଖ୍ଯମନ୍ତ୍ରୀଙ୍କ ପଦ ମର୍ଯ୍ଯାଦା କେନ୍ଦ୍ରମନ୍ତ୍ରୀଙ୍କ ପରେ ରହିବା ପରି ହେଉଛି । ଏହାଦ୍ଵାରା ନିଜ ରାଜ୍ଯର ମୁଖ୍ଯମନ୍ତ୍ରୀଙ୍କ ପଦ ମର୍ଯ୍ଯାଦାକୁ କ୍ଷୂର୍ଣ୍ଣ କରିବ । ଏହା ଆମର ପ୍ରୋଟୋକଲକୁ ଉଲ୍ଲଂଘନ କରିବ । ଆମର ଦାୟିତ୍ଵ ହେଲା, ଆମେ ଓଡି଼ଶା ବିଧାନସଭା ଓ ମୁଖ୍ଯମନ୍ତ୍ରୀଙ୍କ ପଦ ମର୍ଯ୍ଯାଦାକୁ ଅକ୍ଷୂର୍ଣ୍ଣ ରଖିବା । ତେଣୁ ବିଜେଡି ଏହି କାର୍ଯ୍ଯକ୍ରମକୁ ବର୍ଜନ କରିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ପ୍ରମିଳା ମଲ୍ଲିକ ।