ରାଜ୍ୟରେ ସାମାଜିକ ବିଶୃଙ୍ଖଳାକୁ ନେଇ ନବୀନଙ୍କ ଉଦବେଗ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ସାମାଜିକ ବିଶୃଙ୍ଖଳା ନେଇ ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆରେ ନବୀନ କହିଛନ୍ତି, ଏକ ଶାନ୍ତିପ୍ରିୟ ରାଜ୍ୟ ଭାବେ ଓଡ଼ିଶାର ଖ୍ୟାତି ରହିଛି । ଏହା ଏପରି ଏକ ରାଜ୍ୟ ଯେଉଁଠି ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ, ଶାନ୍ତି ଓ ସହଭାଗିତା ଯୁଗ ଯୁଗ ଧରି ରହିଆସିଛି । କିନ୍ତୁ ଚିନ୍ତାର ବିଷୟ ଏବେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସାମାଜିକ ବିଶୃଙ୍ଖଳା ଘଟୁଥିବାର ଖବର ଆସୁଛି । ଅନେକ ଗୋଷ୍ଠୀ ଓ ପୀଡ଼ିତ ନାଗରିକ ସେମାନଙ୍କ ଦୁଃଖ ଜଣାଉଛନ୍ତି । ସେମାନେ ଆକ୍ରମଣ ଓ ବିଦ୍ବେଷର ଶିକାର ହେଉଥିବା ଦୁଃଖର କଥା ବୋଲି କହିଛନ୍ତି ନବୀନ ।

ଓଡ଼ିଶାର ଭାବମୂର୍ତ୍ତି ତଥା ଗରିମା ରକ୍ଷା କରିବାକୁ ନବୀନ ଆହ୍ବାନ ଦେବା ସହ ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଭାବେ ଲୋକଙ୍କ ଧନ, ଜୀବନର ସୁରକ୍ଷା ସହ ଆଇନଶୃଙ୍ଖଳା ବଜାୟ ରଖିବା ଦିଗରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ।

ନବୀନ ଆହୁରି କହିଛନ୍ତି, ଏକ ସଦଭାବପୂର୍ଣ୍ଣ ରାଜ୍ୟ ଭାବରେ ଓଡ଼ିଶାର ପ୍ରତିଛବି ହିଁ ଆମ ରାଜ୍ୟକୁ ନିବେଶକଙ୍କୁ ଆକୃଷ୍ଟ କରିଆସିଛି । ଆମେ ଆମ ଆର୍ଥିକ ଭିତ୍ତିଭୂମି ସୁଦୃଢ଼ କରିପାରିଛୁ । ଆନନ୍ଦର କଥା, ଆମେ ୬୦ ପ୍ରତିଶତରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିପାରିଛୁ । ରାଜ୍ୟର ସବୁ ବର୍ଗର ଲୋକଙ୍କ ସୁରକ୍ଷା ପାଇଁ ଯଥା ସମ୍ଭବ ସମସ୍ତ ପ୍ରକାରର ପଦକ୍ଷେପ ନେବାକୁ ରାଜ୍ୟ ସରକାର ଏବଂ ସମସ୍ତ ସରକାରୀ ଅଧିକାରୀଙ୍କୁ ନବୀନ ଅନୁରୋଧ କରିଛନ୍ତି ।

ନବୀନ କହିଛନ୍ତି, ଶାନ୍ତି ଓ ସୌହାର୍ଦ୍ଦ୍ୟ ହେଉଛି ଏକ ପ୍ରଗତିଶୀଳ ସମାଜର ମୂଳଭିତ୍ତି । ଯେଉଁଠି ଶାନ୍ତିଥାଏ, ସେଇଠି ହିଁ ପ୍ରଗତି ସମ୍ଭବ ହୁଏ ।