ଟାର୍ଗେଟରେ ଅଗଷ୍ଟ ୧୫: ମାନବ ବୋମାରେ ହୋଇପାରେ ନରସଂହାର, ଦେଶରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଟାର୍ଗେଟରେ ସ୍ବାଧୀନତା ଦିବସ । ଅଗଷ୍ଟ ୧୫ ତାରିଖରେ ବଡ଼ ଧରଣର ଆକ୍ରମଣ ପାଇଁ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର । ଆତ୍ମଘାତୀ ମାନବ ବୋମା ଜରିଆରେ କରାଯାଇ ପାରେ ନରସଂହାର । ଏମିତି କିଛି ଆଶଙ୍କା ଥିବା ଗୁଇନ୍ଦା ରିପୋର୍ଟ ଆସିଛି । ଭିଆଇପିଙ୍କୁ ଆତଙ୍କବାଦୀ ଟାର୍ଗେଟ କରିପାରନ୍ତି ବୋଲି ରିପୋର୍ଟରେ କୁହାଯାଇଛି ।

ଖାଲି ସେତିକି ନୁହେଁ, ଗହଳି ଅଞ୍ଚଳ ବି ରହିପାରେ ସେମାନଙ୍କ ଟାର୍ଗେଟରେ । ଏମିତି ଗୁଇନ୍ଦା ସୂଚନା ମିଳିବା ପରେ ଆଲର୍ଟ ଜାରି କରାଯାଇଛି । ଏହାସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢ଼ାଇ ଦିଆଯାଇଛି ।

କିଛି ଦିନ ହେଲା ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ଯକଳାପ ବୃଦ୍ଧି ପାଇବା ନେଇ ମଧ୍ଯ ଉଦବେଗ ପ୍ରକାଶ ପାଇଛି । ଲସ୍କର ଏ ତୋଇବା, ଜୈଶ୍ ଏ ମହମ୍ମଦ, ଟିଆରଏଫ୍ ପରି ଆତଙ୍କବାଦୀ ସଂଗଠନକୁ ସବୁ ପ୍ରକାର ସାହାଯ୍ଯ କରୁଛି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ । ତେଣୁ ଅଧିକ ସତର୍କ ରହି ସବୁ ପ୍ରକାର ଆକ୍ରମଣକୁ ପ୍ରତିହତ କରିବାକୁ ସୁରକ୍ଷା ଏଜେନସିଗୁଡ଼ିକୁ କୁହାଯାଇଛି ।