ଦେବଗଡ ଜିଲ୍ଲା ପୋଲିସର ତଦନ୍ତ ବ୍ଯବସ୍ଥା ସଂପୂର୍ଣ୍ଣ ଅବହେଳିତ!

1 min read

ନନ୍ଦିଘୋଷ ବ୍ୟୁରୋ: ଏବେ ନାହିଁ ନାହିଁରେ ଚାଲିଛି ଦେବଗଡ ଜିଲ୍ଲା ପୋଲିସ ବ୍ୟବସ୍ଥା । ହତ୍ୟାପରେ ରାସ୍ତାରେ ମୃତଦେହ ପଡୁଛି ୮ରୁ ୧୦ଘଣ୍ଟା । ଚୋରୀ ଡକାୟତିର ତଦନ୍ତ ପାଇଁ ପଡୋଶୀ ଜିଲ୍ଲାର ସାଇଣ୍ଟିଫିକ୍ ଟିମ୍ ଉପରେ ନିର୍ଭର କରିବାକୁ ପଡୁଛି । ଭାରତୀୟ ନ୍ୟାୟ ସଂହିତା  ଅନୁସାରେ ବୈଜ୍ଞାନିକ ପଦ୍ଧତିରେ ତଦନ୍ତ ନହେଲେ କୋର୍ଟରେ ତାହା ଗ୍ରହଣୀୟ ହୋଇପାରୁନାହିଁ । ଅସୁବିଧାରେ ପଡୁଛନ୍ତି ତଦନ୍ତକାରୀ ଅଧିକାରୀ, ଦେବଗଡ ଜିଲ୍ଲାର ସବୁ ଅପରାଧିକ ମାମଲାର ତଦନ୍ତ ପାଇଁ ପଡୋଶୀ ଜିଲ୍ଲାର ସାଇଣ୍ଟିଫିକ୍ ଟିମ୍ ଉପରେ ନିର୍ଭର କରିବାକୁ ପଡୁଛି ।

ଦେବଗଡ ଜିଲ୍ଲା ଗଠନର ୩୦ବର୍ଷ ପୁରିଛି । ହେଲେ ଜିଲ୍ଲାରେ ଆଜି ମଧ୍ୟ ସଂପୂର୍ଣ୍ଣ ଭିତ୍ତିଭୂମିର ବିକାଶ ହୋଇ ହୋଇପାରିନି । ସବୁଠାରୁ ବଡକଥା ହେଲା ଜିଲ୍ଲା ପୋଲିସର ତଦନ୍ତ ବ୍ୟବସ୍ଥା ସଂପୂର୍ଣ୍ଣ ଅବହେଳିତ ହୋଇ ରହିଯାଇଛି । ଆବଶ୍ୟକୀୟ ଭିତ୍ତିଭୂମି ନଥିବାରୁ ଅପରାଧିକ ତଦନ୍ତରେ ଗୁରୁତର ବାଧା ସୃଷ୍ଟି ହେଉଛି । ରାଜ୍ୟ ଗୃହ ବିଭାଗ ଅଧୀନରେ ସମସ୍ତ ପୁଲିସ ଜିଲ୍ଲାରେ ଡିଏଫଏସଏଲ ଖୋଲାଯିବାର ବ୍ୟବସ୍ଥା ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଦେବଗଡଜିଲ୍ଲାରେ ତାହା ଖୋଲିପାରିନାହିଁ । ଫଳରେ ତଦନ୍ତ ପ୍ରକ୍ରିୟାରେ ଗୁରୁତର ଅବ୍ୟବସ୍ଥା ଦେଖିବାକୁ ମିଳିଛି ।

ଗତକାଲି କୁଣ୍ଢେଇଗୋଳା ଥାନା ବୁଢାପାଳ ଫାଣ୍ଡି ଅନ୍ତର୍ଗତ ଗମ୍ଭାରୀପାଳ ଗ୍ରାମରେ ତାସ ଖେଳକୁ ନେଇ ଘଟିଥିଲା ହତ୍ୟାକାଣ୍ଡ l ତାସଖେଳରେ ବଚସାକୁ କେନ୍ଦ୍ର କରି, ଅଜୟ ମୁଖିକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ ଦୁଇ ସାଙ୍ଗ । ୨ ଅଭିଯୁକ୍ତ  ସାଙ୍ଗ ଅଟକ ଥିଲେ ଓ ଜଣେ ଫେରାର ହୋଇଯାଇଥିଲେ । ଗତକାଲି ରାତିରେ ହତ୍ୟାକାଣ୍ଡ ଘଟିଥିଲେ ମଧ୍ୟ ମୃତଦେହ ଉଠିବାକୁ ଲାଗିଥିଲା ୨୩ଘଣ୍ଟା । କାରଣ ଦେବଗଡଜିଲ୍ଲାରେ ଡିଏଫଏସଏଲ ବା ସାଇଣ୍ଟିଫିକ୍ ଟିମ୍ ନଥିବାରୁ ତଦନ୍ତ ପାଇଁ ଢେଙ୍କାନାଳ ଜିଲ୍ଲାରୁ ସାଇଣ୍ଟିଫିକ୍ ଟିମ୍ କୁ ଡକାଯାଇଥିଲା । ଟିମ୍ ପହଞ୍ଚିବାରୁ ପରେ ତଦନ୍ତ କରାଯାଇ ମୃତଦେହ ଘଟଣାସ୍ଥଳରୁ ଉଠାଯାଇଥିଲା । ଏଭଳି ଘଟଣା ପ୍ରତିଦିନ ଘଟୁଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଦେବଗଡଜିଲ୍ଲାର ଗୁରୁତ୍ୱପୂର୍ଣ ମାମଲାର ତଦନ୍ତ ପାଇଁ ପଡୋଶୀ ଅନୁଗୁଳ, ଢେଙ୍କାନାଳ କିମ୍ବା ସମ୍ବଲପୁର ଜିଲ୍ଲାର ସାଇଣ୍ଟିଫିକ ଟିମ ଉପରେ ଭରସା କରିବାକୁ ପଡୁଛି । କେତେକ ହତ୍ୟା ଘଟଣାରେ ସାଇଣ୍ଟିଫିକ ଟିମ ପହଞ୍ଚିବାକୁ 24 ଘଣ୍ଟାରୁ ଉର୍ଦ୍ଧ ସମୟ ଲାଗୁଥିବା ବେଳେ ଚୋରି ଡକାୟତି ଭଳି ମାମଲାରେ ଘଟଣାର 5ଦିନ ପର୍ଯ୍ୟନ୍ତ  ସାଇଣ୍ଟିଫିକ ଟିମ ପହଞ୍ଚି ପାରୁନଥିବାରୁ ବହୁ ବିଳମ୍ବରେ ତଦନ୍ତ କରାଯାଉଛି ।