ଅଧିକ ଲୁଣ ଖାଉଥିଲେ ସାବଧାନ ! ହୋଇପାରେ ହାଇପର ଟେନସନ୍

1 min read

ଭୁବନେଶ୍ବର: ଶରୀରରେ ସୋଡିୟମ-ପଟାସିୟମ୍ ସନ୍ତୁଳନ ବିଗିଡିଲେ ବଢିବ ହାଇପର ଟେନସନ, କିଡନୀ ରୋଗ ହେବାର ଆଶଙ୍କା ବି ରହୁଛି । ଭାରତୀୟଙ୍କ ଖାଦ୍ୟରେ ଲୁଣ ପରିମାଣ ତୁଳନାରେ ପଟାସିୟମ୍ କମ୍ ରହିବାରୁ ଉଚ୍ଚରକ୍ତ ଚାପ, ହୃଦଘାତ ସମସ୍ୟା ଉପୁ଼ଜି ଜୀବନ ଯାଉଛି । ଜାତୀୟ ସ୍ତରରେ ଏକ ସର୍ଭେରୁ ଏପରି ତଥ୍ୟ ଜଣାପଡ଼ିଛି । ସୁସ୍ଥ ଶରୀର ପାଇଁ ମାତ୍ର ୫ ଗ୍ରାମ୍ ଲୁଣ ଆବଶ୍ୟକ । ଏହା ସହିତ ଅଧିକ ପଟାସିୟ ଯୁକ୍ତ ଖାଦ୍ୟ ଖାଇଲେ ଶରୀରରେ ଥିବା ଲୁଣର ପ୍ରଭାବକୁ ସନ୍ତୁଳିତ କରି ହେବ ।

ଅଧିକ ଲୁଣ ଖାଇଲେ ହେଉଛି ହାଇପରଟେନସନ୍ । ଶରୀରରେ ସୋଡିୟମ୍-ପଟାସିୟମ୍ ମାତ୍ରା ବିଗିଡ଼ିଲେ କିଡନୀ ଉପରେ କୁପ୍ରଭାବ ପଡ଼ିବା ସହିତ ଉଚ୍ଚ ରକ୍ତଚାପ ହେବାର ଆଶଙ୍କା ରହିଛି । ଉଚ୍ଚ ରକ୍ତଚାପରୁ ହୋଇପାରେ ହୃଦଘାତ। ଏଥିରେ ଜୀବନ ବି ଯାଉଛି । ସଚେତନତା ଅଭାବରୁ ଅଧିକାଂଶ ଲୋକ ଉଚ୍ଚ ରକ୍ତଚାପ ଓ କିଡନୀ ରୋଗରେ ପୀଡ଼ିତ । ସୁସ୍ଥ ଶରୀର ପାଇଁ ଦିନକୁ ମାତ୍ର ୫ ଗ୍ରାମ୍ ଲୁଣ ଖାଇବା ଉଚିତ । ଏକ ସର୍ଭେରୁ ଜଣାପଡ଼ିଛି, ଭାରତୀୟମାନେ ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଉଛନ୍ତି । ଫାଷ୍ଟ୍ଫୁଡ଼୍, ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଶରୀରରେ ସୋଡିୟମ୍ ମାତ୍ରା ବଢୁଛି । ଶରୀରରେ ସୋଡିୟମର ମାତ୍ରା ଅଧିକ ହେଲେ ତା’ର କୁପ୍ରଭାବକୁ ହ୍ରାସ କରିବାକୁ ପଟାସିୟଯୁକ୍ତ ଖାଦ୍ୟ ଅଧିକ ଖାଇବା ଆବଶ୍ୟକ । ସାଲାଡ୍, ଟମାଟୋ, ବିନ୍ସ୍, ଫଳ, ଚୁନା ମାଛରୁ ମିଳିଥାଏ ପଟାସିୟମ୍ । କିଡନୀରେ ଜମା ହେଉଥିବା ସୋଡିୟମକୁ ହ୍ରାସ କରିଥାଏ ପଟାସିୟମ । ଏହା ଉଚ୍ଚ ରକ୍ତଚାପ, ହୃଦଘାତରୁ ବି ରକ୍ଷା କରିଥାଏ ।

କିର୍-୪.୨ ଏକ ଜଟିଳ ପ୍ରୋଟିନ । କିଡନୀର ଏହି ପ୍ରୋଟିନ୍ ଅମ୍ଲକୁ ସନ୍ତୁଳନରେ ରଖେ ।  ପଟାସିୟମ୍କୁ କିଡନୀ ଦେଇ ଶରୀରରେ ବିଭିନ୍ନ ଅଂଶରେ ପହଞ୍ଚାଇବାରେ ସହାୟକ ହୋଇଥାଏ ଏହି ପ୍ରୋଟିନ୍ । ସନ୍ତୁଳିତ ଆହାର, ନିୟମିତ ବ୍ୟାୟାମ ଦ୍ବାରା ସୋଡିୟମ୍-ପଟାସିୟମର ମାତ୍ରା ସନ୍ତୁଳିତ ରହେ । ଯେଉଁମାନଙ୍କର ଉଚ୍ଚ ରକ୍ତଚାପ, ହୃଦଘାତ ଜନିତ ସମସ୍ୟା ରହିଛି, ସେମାନେ ସାଧାରଣ ଲୁଣ ହେଉ କି ସୈନ୍ଧବ ଲୁଣ, ଏକ ଚା ଚାମୁଚରୁ ଅଧିକ ନେବା ଉଚିତ ନୁହେଁ । ଏଥିରେ ବ୍ୟତିକ୍ରମ ହେଲେ ବିପଦ । ସୋଡିୟମ୍-ପଟାସିୟମର ମାତ୍ରା ଏପଟ ସେପଟ ହେଲେ ବ୍ୟକ୍ତି ବାଉଳା ଚାଉଳା ହୋଇଥାଏ । ମୁହଁ ଓ ଦେହରୁ ପ୍ରବଳ ଝାଳ ବହିବା ସହିତ ସଜ୍ଞାହୀନ ବି ହୋଇପାରନ୍ତି । ଏପରି ସମସ୍ୟା ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବାକୁ କୁହାଯାଇଛି ।

ଅଧିକ ଲୁଣ, ଚିନି ଶରୀର ପାଇଁ କ୍ଷତିକାରକ । ଏକଥା ସମସ୍ତ ଜାଣିଥିଲେ ବି ଅବହେଳା ଓ ହେୟଜ୍ଞାନ ଯୋଗୁଁ ଅଧିକ ମାତ୍ରାରେ ଚିନି ଓ ଲୁଣ ଖାଉଛନ୍ତି । ଏହାଦ୍ଵାରା ନାନା ରୋଗରେ ପଡୁଛନ୍ତି ।