ଆଳୁ ପାଇଁ ହାହାକାର: ମୋହନ ମମତାଙ୍କୁ ମାଗୁଥିବା ବେଳେ, ଯୋଗାଣ ମନ୍ତ୍ରୀଙ୍କ ମନ୍ତବ୍ୟରେ ତାତିଲେ ବ୍ୟବସାୟୀ

1 min read

ଭୁବନେଶ୍ବର:  ଆଳୁ ସଂକଟରେ ଖାଉଟି ନାକେଦମ୍ । ନା ପର୍ଯ୍ଯାପ୍ତ ପରିମାଣରେ ମିଳୁଛି, ନା ରେଟ୍ ଖସୁଛି । ଏଯାଏଁ ସମାଧାନର ରାସ୍ତା ରାଜ୍ଯ ସରକାର ବାହାର କରିପାରି ନଥିବା ବେଳେ ପଶ୍ଚିମବଙ୍ଗର ମୁଖ୍ଯମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ମାଝୀ । ଆଳୁ ଯୋଗାଣ ସ୍ବାଭାବିକ କରିବାକୁ ମମତାଙ୍କୁ ମୋହନ ଅନୁରୋଧ କରିଛନ୍ତି । ସେପଟେ କିନ୍ତୁ ଯୋଗାଣ ମନ୍ତ୍ରୀ ଦେଇଥିବା ଏକ ମନ୍ତବ୍ଯରେ ବ୍ଯବସାୟୀ ଖପ୍ପା । ଏହାକୁ ନେଇ ସେମାନେ ମନ୍ତ୍ରୀଙ୍କଠାରୁ ଜବାବ ମାଗିଛନ୍ତି । ଆଳୁ ସଂକଟରୁ ନେଇ ରାଜନୀତି ବି ତେଜିଲାଣି ।

ରାଜ୍ଯରେ ଜାରି ରହିଛି ଆଳୁ ସଂକଟ । ମାର୍କେଟରେ ସ୍ବାଭାବିକ ସ୍ଥିତି ଫେରି ନଥିବା ବେଳେ ରେଟ୍ ସେମିତି ବି ଖସି ନାହିଁ । ଏବେ ବି କେଜି ପ୍ରତି କେଉଁଠି ୪୦ ଟଙ୍କା ତ କେଉଁଠି ୪୫ରୁ ୫୦ ଟଙ୍କାରେ ବିକ୍ରି ହେଉଛି । ସମାଧାନ ପାଇଁ ମମତାଙ୍କ ସହ ଫୋନରେ କଥା ହୋଇଛନ୍ତି ମୋହନ । ଆଉ ଓଡ଼ିଶାକୁ ଆଳୁ ଯୋଗାଣ ସ୍ବାଭାବିକ କରିବାକୁ ମମତାଙ୍କୁ କରିଛନ୍ତି ଅନୁରୋଧ । ମୁଖ୍ଯମନ୍ତ୍ରୀଙ୍କ କାର୍ଯ୍ଯାଳୟ ତରଫରୁ ଏ ନେଇ ସୂଚନା ଦିଆଯାଇଛି । କଥାବାର୍ତ୍ତା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିଲ୍ଲୀରେ ଆଲୋଚନା ପରେ ଆଳୁ ଯୋଗାଣ ସ୍ଵାଭାବିକ ହୋଇଥିଲା । ମାତ୍ର କିଛିଦିନ ପରେ ପୁଣି ସମସ୍ୟା ସୃଷ୍ଟି ହୋଇଛି । ଏଥିପ୍ରତି ଧ୍ୟାନ ଦେଇ ସମସ୍ୟା ଦୂର କରିବାକୁ ପଦକ୍ଷେପ ନିଅନ୍ତୁ । ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ମମତା ପ୍ରତିଶ୍ରୁତି ଦେଇଥିବା ମୁଖ୍ଯମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ।

ସେପଟେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଇଥିବା ମନ୍ତବ୍ଯକୁ ନେଇ ଆଳୁ ବ୍ଯବସାୟୀ ଖପ୍ପା । ବ୍ଯବସାୟୀ ମହାସଂଘ କହିଛି, ପଶ୍ଚିମବଙ୍ଗରୁ ଆଳୁ ଆଣିବାରେ ରାଜ୍ଯ ସରକାର ଫେଲ ମାରିଥିବା ବେଳେ ଆମେ ଯେମିତି ସେମିତି ବ୍ଯବସ୍ଥା କରି ଆଣିଛୁ । ତାକୁ ନେଇ ସରକାର ଡିଲରଙ୍କ ମାଧ୍ୟମରେ ଲୋକଙ୍କୁ କିଛି କିଛି ଦେଇଛନ୍ତି । କିନ୍ତୁ ଯାହାଠୁ ନେଲେ ସେମାନଙ୍କୁ ବଦନାମ କରୁଛନ୍ତି ସରକାର । ବିଭିନ୍ନ ଗୋଦାମରେ ଚଢାଉ କରି ମହଜୁଦ୍ ଆଳୁ ଲୋକଙ୍କୁ ଦିଆଯାଇଥିବା କହିଥିଲେ ମନ୍ତ୍ରୀ । ଏଥିରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରି ସୁଧାକର ପଣ୍ଡା କହିଛନ୍ତି- କେଉଁ ଆଧାରରେ ମନ୍ତ୍ରୀ ଏପରି କହିଲେ, ତା’ର ଉତ୍ତର ରଖନ୍ତୁ । ଆଳୁ କେଉଁଠି ବି ଗୁପ୍ତ ଭାବେ ରଖାଯାଇ ନଥିଲା । ବିଭାଗୀୟ ସଚିବଙ୍କ ସହିତ ଆଲୋଚନା ପରେ ବିନା ଲାଭକ୍ଷତିରେ ସରକାରଙ୍କୁ ଦିଆଯାଇଥିଲା ଆଳୁ । ତା’ପରେ ବି ମନ୍ତ୍ରୀ ଏଭଳି ମନ୍ତବ୍ଯ ଦେଇଥିବାରୁ ତାକୁ ନିନ୍ଦା କରିଛି ବ୍ଯବସାୟୀ ମହାସଂଘ । ସେପଟେ ସରକାରଙ୍କ ପକ୍ଷରୁ ଆଜି ମଧ୍ୟ ଡିଲରଙ୍କ ମାଧ୍ୟମରେ ଲୋକଙ୍କୁ ଆଳୁ ଦିଆଯାଇଛି ।

ଏତେ ଦିନ ହେଲାଣି ଆଳୁ ସଂକଟର ସମାଧାନ କରିପାରି ନଥିବାରୁ ରାଜ୍ଯ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, ରାଜ୍ଯ ସରକାର ଏହାକୁ ନେଇ ସିରିୟସ୍ ନୁହଁନ୍ତି । କେବେ ସମାଧାନ ହେବ, ତା’ର ବାଟ ବି ଦେଖାଯାଉନାହିଁ । ଡିଲରଙ୍କ ଜରିଆରେ ଯେତେ ଆଳୁ ଦିଆଯାଉଛି, ତାହା ସମୁଦ୍ରକୁ ଶଙ୍ଖେ । ସେପଟେ ବିଜେଡିର ସମ୍ବିତ ରାଉତରାୟ କହିଛନ୍ତି, ଆଳୁ ସମସ୍ଯା ଦୂର ହେବା ଦରକାର ଓ ଲୋକଙ୍କୁ ସୁଲଭ ଦରରେ ମିଳିବା ଉଚିତ । ହେଲେ ବିଜେପି କହିଛି, ଆଳୁ ସମସ୍ଯା ଏବେକାର ନୁହେଁ । ସମାଧାନରେ କୌଣସି ହେଳା କରିନାହାନ୍ତି ରାଜ୍ୟ ସରକାର । ଏହାକୁ ନେଇ ରାଜନୀତି କରିବା ଉଚିତ ନୁହେଁ ।