ଶଙ୍ଖ ଭବନରେ ବିଜେଡି ସମନ୍ବୟ ଓ କାର୍ଯ୍ୟାନୟନ କମିଟି ପ୍ରଥମ ବୈଠକ

1 min read

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ସମନ୍ବୟ ଓ କାର୍ଯ୍ୟାନ୍ବୟନ କମିଟିର ପ୍ରଥମ ବୈଠକ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି । ପୂର୍ବତନ ମନ୍ତ୍ରୀ ତଥା କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ଯକ୍ଷତାରେ ବସିଥିବା ଏହି ବୈଠକରେ ସମସ୍ତ ୧୫ ଜଣ ସଦସ୍ଯ ଉପସ୍ଥିତ ଥିଲେ । ରାଜ୍ୟର ଅନେକ ପ୍ରସଙ୍ଗ ସହ ବିଜେଡିର ରାଜ୍ୟସ୍ତରୀୟ ସଂଗଠନ ନେଇ ବୈଠକରେ ଆଲୋଚନା ହୋଇଛି । ଦଳର ସଂଗଠନ ଓ କାର୍ଯ୍ୟପନ୍ଥା ନେଇ ପ୍ରସ୍ତୁତ ହୋଇଥିବା ରୂପରେଖର ଅନୁମୋଦନ ପାଇଁ ଦଳୀୟ ସଭାପତିଙ୍କ ପାଖରେ ଖସଡ଼ା ଉପସ୍ଥାପନ କରିବ କମିଟି ।

ତୃଣମୂଳ ସ୍ତରରେ କେମିତି କାମ କରିବ ବିଜେଡିର ସମନ୍ବୟ କମିଟି ? କଣ ରହିବ ଆଗାମୀ କାର୍ଯ୍ୟପନ୍ଥା ? ସରକାରଙ୍କୁ କେମିତି ଦିଆଯିବ ଚେକ ? ଏ ସମସ୍ତ ଦିଗକୁ ନେଇ ବିଜେଡିର ନୂଆ ସମନ୍ବୟ କମିଟିରେ ଟିଖିନିଖି ଆଲୋଚନା ହୋଇଛି । ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଜେଡି ସୁପ୍ରିମୋ ଗଠନ କରିଥିବା କମିଟିର ଆଜି ଥିଲା ପ୍ରଥମ ବୈଠକ । ଏଥିରେ  ପ୍ରମିଳା ମଲ୍ଲିକ, ନିରଂଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ପ୍ରତାପ କେଶରୀ ଦେବ, ପ୍ରଦୀପ କୁମାର ଅମାତ, ଡ. ଅରୁଣ ସାହୁ, ଅଶ୍ବିନୀ କୁମାର ପାତ୍ର, ପ୍ରତାପ ଜେନା, ସାରଦା ପ୍ରସାଦ ନାୟକ, ସୁଦାମ ମାର୍ଣ୍ଡି, ମନୋହର ରନ୍ଧାରୀ, ସ୍ନେହାଙ୍ଗିନୀ ଛୁରିଆ, ମହେଶ ସାହୁ ଓ ଦେବେଶ ଆଚାର୍ଯ୍ୟ ଉପସ୍ଥିତ ରହି ଦଳୀୟ ସଂଗଠନ ଓ ବିଭିନ୍ନ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିଛନ୍ତି । ଦୀର୍ଘ ଦିନ ପରେ ଆଜି ବିରୋଧୀ ଦଳରେ ଅଛି ବିଜେଡି । ନବୀନଙ୍କ ବିକାଶ ସଂକଳ୍ପକୁ ଆଗେଇ ନେବାକୁ ବୈଠକରେ ଖସଡା ପ୍ରସ୍ତୁତ କରାଯାଇଛି । ଯାହାର ଅନୁମୋଦନ ପାଇଁ ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବ କମିଟି ।

ବିରୋଧୀ ଦଳକୁ ଆସିବା ପରେ କେମିତି ଚାଲିବ ବିଜେଡିର ସାଂଗଠନିକ କାର୍ଯ୍ୟକ୍ରମ ? କେମିତି ଆଗେଇବ ସଂଗଠନ ? ସେ ସବୁ ବିସ୍ତାର ଭାବେ ସମନ୍ବୟ ଓ କାର୍ଯ୍ୟାନ୍ବୟନ କମିଟି ବୈଠକରେ ଆଲୋଚନା ହୋଇଛି । ବିରୋଧୀ ଦଳ ଭାବେ କେଉଁ କେଉଁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରାଯିବ ସେସବୁର ରୋଡମ୍ୟାପ କରିଛି । କ୍ଷମତାକୁ ଆସୁ ଆସୁ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ବଜେଟରେ ଓଡ଼ିଶାକୁ ଅଣଦେଖା ନେଇ ଲୋକଙ୍କ ପାଖକୁ କିପରି ଯିବ ଦଳ, ତାର ବ୍ଲୁ-ପ୍ରିଣ୍ଟ ଜାରି କରାଯାଇଛି । ସେହିପରି ଅକ୍ଟୋବର ଦୁଇରୁ ପଦଯାତ୍ରା ଓ ଡିସେମ୍ବର ୨୬ରେ ବିଜେଡି ପ୍ରତିଷ୍ଠା ଦିବସ ପାଳନର ଢାଞ୍ଚା ବି ଏହି ବୈଠକରେ ପ୍ରସ୍ତୁତ ହୋଇଛି । ସେହିପରି ଯୁବ, ଛାତ୍ର, ମହିଳା, କୃଷକ ପରି ଅନେକ ଛାମୁଆ ସଂଗଠନ ଗୁଡ଼ିକର ରୂପରେଖ ଓ ଦାୟିତ୍ବ ନେବାର ମାପଦଣ୍ଡ ବି ସ୍ଥିର କରାଯାଇଛି ।

ବିଜେଡି କାର୍ଯ୍ୟକ୍ରମରେ ଆଦିବାସୀଙ୍କ ବିକାଶକୁ ଦିଆଯାଉଛି ପ୍ରଧାନ୍ୟ । ଏଥିପାଇଁ ପ୍ରତିବର୍ଷ ଭଳି ଆସନ୍ତାକାଲି ଅଗଷ୍ଟ ୯ ଶଂଖ ଭବନରେ ପାଳିତ ହେବ ଅନ୍ତର୍ଜାତୀୟ ଆଦିବାସୀ ଦିବସ । ଯେଉଁଥିରେ ବହୁ ଆଦିବାସୀ ସଂପ୍ରଦାୟ ନିଜ କଳାର ପ୍ରଦର୍ଶନ କରିବେ । ଏଥିରେ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆଦିବାସୀ ବିକାଶ ପାଇଁ କଣ କରିଥିଲେ ନବୀନ ସରକାର ଓ ବିରୋଧୀରେ ରହି କିପରି ଆଦିବାସୀ ବିକାଶ କରାଯିବ, ସେ ଦିଗରେ ଉଦବୋଧନ ଦେବେ ବିଜେଡି ସୁପ୍ରିମୋ ।